ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ଉପକୂଳରେ ଗତ ରବିବାର ଦିନ ବିକ୍ରି ହୋଇଥିବା ଗୋଟିଏ ମାଛର ଦର ଶୁଣିଲେ ଯେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ତିରିଶି କିଲୋଗ୍ରାମ ଓଜନର ଏହି ଘୋଲ ମାଛ ବିକ୍ରି ହୋଇଥିଲା ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କାରେ।
ସାଧାରଣତଃ ନିହାତି ଶସ୍ତାରେ ବିକ୍ରି କଥାକୁ ଶାଗମାଛ ଦରରେ ବିକ୍ରି ବୋଲି କୁହାଯାଇଥାଏ। ଏହାର ଅର୍ଥ ଅନେକ ଲୋକଙ୍କ ପାଇଁ ଶାଗ ଓ ମାଛ ଖୁବ ଶସ୍ତା, ଏମିତି କି ମାଗଣାରେ ମିଳିବା ଭଳି। ଏବେ ଆଉ ସେ ଯୁଗ ନାହିଁ କି ଶସ୍ତା ମାଛ ବି ନାହିଁ। ମୁମ୍ବାଇ ଉପକୂଳରେ ଗତ ରବିବାର ଦିନ ବିକ୍ରି ହୋଇଥିବା ଗୋଟିଏ ମାଛର ଦର ଶୁଣିଲେ ଯେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ତିରିଶି କିଲୋଗ୍ରାମ ଓଜନର ଏହି ଘୋଲ ମାଛ ବିକ୍ରି ହୋଇଥିଲା ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କାରେ।
ଗତ ଶୁକ୍ରବାର ଦିନ ସମୁଦ୍ରରେ ମାଛ ମାରିବାକୁ ଯାଇଥିଲେ ମୁମ୍ବାଇ-ପାଲଘର ଉପକୂଳ ଅଞ୍ଚଳର ଦୁଇ ଭାଇ-ମହେଶ ମେହେର ଓ ଭାରତ ମେହେର। ଛୋଟ ଡଙ୍ଗାଟିରେ ମାଛ ମାରି ଫେରିବା ବେଳେ ରବିବାର ଦିନ ଜାଲରେ ପଡ଼ିଥିଲା ଏହି ଅବିଶ୍ୱସନୀୟ ଭାବେ ମହଙ୍ଗା ମାଛ, ଯାହାର ନାଁ ଘୋଲ। ପ୍ରାୟ ତିରିଶି କିଲୋଗ୍ରାମ ଓଜନର ଘୋଲ ମାଛ ନେଇ ଦୁଇ ଭାଇ ପହଞ୍ଚିବା ପୂର୍ବରୁ ହିଁ ଏ ଖବର ସାରା ଅଞ୍ଚଳରେ ବ୍ୟାପିଯାଇଥିଲା।
ଏହାକୁ କିଣିବା ପାଇଁ ବେପାରୀମାନେ ମେହେର ଭାଇଙ୍କ ଡଙ୍ଗାକୁ ଅପେକ୍ଷା କରିଥିଲେ। ଡଙ୍ଗା ପହଞ୍ଚିବା ମାତ୍ରେ ଏହାକୁ କିଣିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସମୁଦ୍ରକୂଳରେ ଭିଡ଼ କରିଥିବା ବେପାରୀମାନଙ୍କ ମଧ୍ୟରେ ଏହାକୁ ନିଲାମ କରାଯାଇଥିଲା। ମାତ୍ର କୋଡ଼ିଏ ମିନିଟର ନିଲାମ ଡକାଡ଼କିରେ ମାଛର ଦର ପହଞ୍ଚି ଥିଲା ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କାରେ। ଜଣେ ବେପାରୀପାଞ୍ଚ ଲକ୍ଷ ପଚାଶ ହଜାର ଦେଇ ଏହାକୁ କିଣିନେଇଥିଲେ। ସତେ ଯେମିତି ମେହେର ଭ୍ରାତୃଦ୍ବୟଙ୍କର ଲଟେରି ଲାଗିଯାଇଥିଲା।
କାହିଁକି ମହଙ୍ଗା ଘୋଲ ମାଛ ?
ସାଧାରଣତଃ ବଜାରରେ ଘୋଲ ମାଛର ଦର କିଲୋଗ୍ରାମ ପ୍ରତି ୮୦୦ରୁ ୧ ହଜାର ଟଙ୍କା ହୋଇଥାଏ। କାରଣ ଏହା ବେଶ ସ୍ୱାଦିଷ୍ଟ ଏବଂ ଏହାର ଔଷଧୀୟ ଗୁଣ ରହିଛି। ପୂର୍ବ ଏସିଆର ବିଭିନ୍ନ ଦେଶରେ ଏହି ମାଛର ବିଭିନ୍ନ ଅଂଶର ମୂଲ୍ୟ ବେଶ ଅଧିକ। ମାଛ ପେଟ ଭିତରେ ଥିବା ଶରୀରର ବିଭିନ୍ନ ଅଙ୍ଗ ଔଷଧ ତିଆରିରେ ଲାଗିଥାଏ। ଏହି ଔଷଧୀୟ ଗୁଣ ଯୋଗୁଁ ଘୋଲ ମାଛକୁ ‘ଫିଶ୍ ଉଇଥ୍ ଏ ଗୋଲଡେନ୍ ହାର୍ଟ’ ବା ‘ସ୍ୱର୍ଣ୍ଣ ହୃଦୟର ମାଛ’ ବୋଲି ମଧ୍ୟ କୁହାଯାଏ।
କେବଳ ଏତିକି ନୁହେଁ, ଘୋଲ ମାଛ ଉପରର ଚମଡ଼ାରେ ଅତି ଉଚ୍ଚ ଗୁଣମାନର କୋଲାଜେନ୍ ବା ମଜ୍ଜା ଥାଏ। ଏହା ଅତି ମୂଲ୍ୟବାନ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଘୋଲ ମାଛର ପ୍ରତିଟି ଅଙ୍ଗ ଉପକାରୀ ହୋଇଥିବାରୁ ଏହାର ଦର ବେଶ ଅଧିକ।
ମୁମ୍ବାଇ ଉପକୂଳରୁ ଧରାଯାଉଥିବା ଉତ୍କୃଷ୍ଟ ଧରଣର ଘୋଲ ମାଛକୁ ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ହଂକଂ, ଏବଂ ଜାପାନ ପ୍ରଭୃତି ଦେଶକୁ ରପ୍ତାନୀ କରାଯାଏ। ନିକୃଷ୍ଟ ବା ନିମ୍ନ ଗ୍ରେଡର ମାଛ ସ୍ଥାନୀୟ ବଜାରରେ ବିକ୍ରି କରାଯାଏ, ଯାହାର ମୂଲ୍ୟ ଅତି କମ୍ରେ କିଲୋଗ୍ରାମ ପିଛା ଆଠ ଶହ ଟଙ୍କା।
ମୁମ୍ବାଇ ସମୁଦ୍ର କୂଳରେ ଲକ୍ଷାଧିକ ଟଙ୍କାରେ ଗୋଟିଏ ମାଛ ବିକ୍ରି ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଗତ ମେ ମାସରେ ଭାୟାନ୍ଦର ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ଗୋଟିଏ ଘୋଲ ମାଛକୁ ୫ ଲକ୍ଷ ୧୬ ହଜାର ଟଙ୍କାରେ ବିକ୍ରି କରିଥିଲେ। ହେଲେ ଦୁଇ ମେହେର ଭାଇଙ୍କ ଘୋଲ ମାଛ ଦାମୀ ମାଛ ଭାବେ ରେକର୍ଡ ସୃଷ୍ଟି କରିଛି।














