ଓଡ଼ିଶାଲାଇଭ୍‍ ବ୍ୟୁରୋ

ହାଇଦ୍ରାବାଦର ମହିଳା ସ୍ୱେଚ୍ଛାସେବୀ ଶ୍ରବ୍ୟା ରେଡ୍ଡି ଗାଁ ଗହଳିରେ ରହୁଥିବା ମହିଳାମାନଙ୍କର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବା ପାଇଁ ୩୧ ଦିନରେ ତେଲେଙ୍ଗାନାର ୩୧ଟି ଜିଲ୍ଲା ବୁଲି ପ୍ରାୟ ଏକ ହଜାର ମହିଳାଙ୍କୁ ଭେଟି ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି

ଗାଁ ଗହଳିରେ ରହୁଥିବା ମହିଳାମାନଙ୍କର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବା ସହିତ ସେଗୁଡ଼ିକର ବ୍ୟାବହାରିକ ସମାଧାନ ଦିଗରେ ଉଦ୍ୟମ କରିବା ଲକ୍ଷ୍ୟ ନେଇ ୩୧ ଦିନରେ ତେଲେଙ୍ଗାନାର ୩୧ଟି ଜିଲ୍ଲା ବୁଲିଛନ୍ତି ଜଣେ ମହିଳା ସ୍ୱେଚ୍ଛାସେବୀ ଶ୍ରବ୍ୟା ରେଡ୍ଡି ଦେଶମୁଖ। ପ୍ରାୟ ଏକ ହଜାର ମହିଳାଙ୍କୁ ଭେଟି ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।

ଏହି ତଥ୍ୟ ସମ୍ବଳିତ ରିପୋର୍ଟରେ ଗ୍ରାମୀଣ ମହିଳାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସେ ପ୍ରସ୍ତାବ ଉପସ୍ଥାପନ କରିବେ। ପ୍ରଚାରଠାରୁ ଦୂରରେ ରହି ଗ୍ରାମୀଣ ମହିଳାଙ୍କ ସ୍ଥିତି ସୁଧାରିବା ଦିଗରେ କିଛି କରିବା ଲକ୍ଷ୍ୟ ନେଇ ସେ ଏହି ଅଭିଯାନ କରିଥିଲେ।

ହାଇଦ୍ରାବାଦର ହବ୍‌ସିଗୁଡା ଅଞ୍ଚଳରେ ରହନ୍ତି ଶ୍ରବ୍ୟା ରେଡ୍ଡି ଦେଶମୁଖ। କମ୍ପ୍ୟୁଟର ଇଞ୍ଜିନିୟରିଂରେ ଗ୍ରାଜୁଏଟ୍‌ ଶ୍ରବ୍ୟାଙ୍କ ପାଇଁ ସମାଜସେବା ଏକ ନିଶା ଭଳି। ବିଶେଷତଃ ମହିଳାଙ୍କ ଉନ୍ନତି ଦିଗରେ କାମ କରିବାକୁ ତାଙ୍କର ଆଗ୍ରହ ରହିଛି। ତେଣୁ ସେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଜଡିତ ଥିଲେ।

ଗତବର୍ଷ ନିଜେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖୋଲିଥିଲେ, ଯାହାର ନାଁ ‘ଉଇ ଆଣ୍ଡ ସି’। ମୁଖ୍ୟତଃ ବିବାହ ବିଚ୍ଛେଦ ଯୋଗୁଁ ପ୍ରପୀଡ଼ିତା ମହିଳାଙ୍କୁ ସାହାଯ୍ୟ ଓ ସହଯୋଗ କରିଥାଏ ଏହି ଅନୁଷ୍ଠାନ। ଅନୁଷ୍ଠାନର ପରିଚାଳିକା ଭାବେ ଭିନ୍ନ ଭିନ୍ନ ମହିଳା ଏବଂ ସେମାନଙ୍କ ସମସ୍ୟା ସଂପର୍କରେ ଜାଣିବା ପରେ ଏସବୁର କାରଣ ଖୋଜିବାକୁ ସ୍ଥିର କଲେ ଶ୍ରବ୍ୟା। ଗାଁ ଗହଳିରେ ମହିଳାମାନଙ୍କ ସ୍ଥିତି ଓ ସମସ୍ୟାର ବାସ୍ତବ ଅନୁଧ୍ୟାନ ପାଇଁ ଗାଁକୁ ଗାଁ ବୁଲିବାକୁ ସ୍ଥିର କଲେ।

ଶ୍ରବ୍ୟାଙ୍କ ଅଭିଯାନ

ଜୁଲାଇ ୧ ତାରିଖ ଦିନ ହାଇଦ୍ରାବାଦରୁ ବାହାରିଥିଲେ ଶ୍ରବ୍ୟା। ୩୧ ଦିନରେ ତେଲେଙ୍ଗାନାର ୩୧ଟି ଜିଲ୍ଲା ବୁଲିବା ପରେ ଜୁଲାଇ ୩୧ରେ ନଗରକୁର୍ଣ୍ଣୁଲଠାରେ ତାଙ୍କର ଯାତ୍ରା ଶେଷ ହୋଇଥିଲା। ତାଙ୍କ ସାଙ୍ଗରେ ଜଣେ ଡ୍ରାଇଭର ଥିଲେ। ବିଭିନ୍ନ ସ୍ଥାନରେ କେତେକ ସ୍ୱେଚ୍ଛାସେବୀ ମଧ୍ୟ ତାଙ୍କ ସାଙ୍ଗରେ ବୁଲିଥିଲେ।

୩୧ ଦିନର ଏହି ଯାତ୍ରାରେ ସେ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଜନ୍ମଦିନରେ ତାଙ୍କୁ ଉପହାର ମିଳିଥିବା ଏକ ବ୍ରେସ୍‌ଲେଟ୍‌କୁ ବିକି ସେ ଏହି ଟଙ୍କା ଯୋଗାଡ଼ କରିଥିଲେ। ବଡ଼ି ଭୋରରୁ ଉଠୁଥିଲେ ଏବଂ ଦିନରେ ହିଁ ଗାଁକୁ ଗାଁ ଯାଉଥିଲେ। ରାତିରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯାତ୍ରା କରୁଥିଲେ। ମୋଟ ୪୧୧୬ କିଲୋମିଟରର ଏହି ବିରଳ ଅଭିଯାନରେ ସେ ପ୍ରାୟ ଏକ ହଜାର ଗ୍ରାମୀଣ ମହିଳାଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କିତ ତଥ୍ୟ ହାସଲ କରିଛନ୍ତି।

ଏହି ଯାତ୍ରା ପୂର୍ବରୁ ସେ ବିଭିନ୍ନ ଜିଲ୍ଲାରେ ମହିଳାଙ୍କ ସ୍ଥିତି ସଂପର୍କରେ ବହୁତ ପଢ଼ାପଢ଼ି କରିଥିଲେ ଏବଂ ଅନେକ ତଥ୍ୟ ଯୋଗାଡ଼ କରିଥିଲେ। ଯେଉଁ ଗାଁକୁ ଯାଉଥିଲେ ସେଠାକାର ସରପଞ୍ଚଙ୍କୁ ଭେଟି ମହିଳାମାନଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ନେଉଥିଲେ। ମୁଖ୍ୟତଃ ଦୁର୍ଗମ ଏବଂ ପଛୁଆ ଅଞ୍ଚଳର ଗାଁଗୁଡ଼ିକୁ ଯାଇଥିଲେ ଶ୍ରବ୍ୟା।

ଶ୍ରବ୍ୟାଙ୍କ ଅନୁଭୂତି

ତେଲେଙ୍ଗାନାର ବିଭିନ୍ନ ଗାଁରେ ମହିଳାଙ୍କ ଦୁଃସ୍ଥିତିକୁ ଆଖିରେ ଦେଖିଛନ୍ତି ଶ୍ରବ୍ୟା। ତାଙ୍କ ଅନୁଭୂତି ବର୍ଣ୍ଣନା କରିବାକୁ ଯାଇ ସେ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ସେଥିରେ ରହିଛି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅନିୟମିତତା, ହସ୍ତଶିଳ୍ପ ଓ ହସ୍ତକଳା କାରିଗରଙ୍କ ଦୁରବସ୍ଥା, ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଦୁଃଖ, ଦୁର୍ଗମ ଅଞ୍ଚଳରେ ଅଶିକ୍ଷା ଏବଂ କୁସଂସ୍କାର ପ୍ରପୀଡ଼ିତ ମହିଳାଙ୍କ ଜୀବନଧାରା। ଏହା ସହିତ ବିଭିନ୍ନ ସ୍କୁଲର ଛାତ୍ରୀ ଓ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ସହ କଥାବାର୍ତ୍ତା କରି ସେଠାକାର ଅବସ୍ଥା ଅନୁଧ୍ୟାନ କରିଥିଲେ।

କେତେକ ମହିଳାଙ୍କୁ ସେ ନିଜେ କିଛି ଆର୍ଥିକ ସହାୟତା ଦେଇଥିଲେ, ଆଉ କେତେଜଣଙ୍କ ସମସ୍ୟା ସଂପର୍କରେ ସଂପୃକ୍ତ ଅଧିକାରୀଙ୍କୁ ଜଣାଇଥିଲେ। କେତେକ ଗୁରୁତର ଅସୁସ୍ଥ ମହିଳାଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଗାଁର ହସ୍ତତନ୍ତରେ ପ୍ରସ୍ତୁତ ଶାଢ଼ି ସହରର ମଲରେ କୋଡ଼ିଏ ହଜାର ଟଙ୍କାର ବିକ୍ରି ହେଉଥିବା ବେଳେ ହସ୍ତତନ୍ତ କାରିଗରମାନେ କିଭଳି ଦୟନୀୟ ଅବସ୍ଥାରେ ଅଛନ୍ତି ତାହା ଦେଖିଥିଲେ ଶ୍ରବ୍ୟା।

ଶ୍ରବ୍ୟା କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହନ୍ତି। ବାପା ଓ ମା’ଙ୍କ ପ୍ରୋତ୍ସାହନରେ ସମାଜସେବା କରିବାକୁ ଆଗେଇ ଆସିଛନ୍ତି। ବିଶେଷତଃ ମହିଳାମାନଙ୍କ ସମସ୍ୟା ସମାଧାନ ପାଇଁ କାମ କରୁଛନ୍ତି। ତାଙ୍କର ଏହି ଅନୁଭୂତିକୁ ରିପୋର୍ଟରେ ପରିଣତ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ସେ ପ୍ରଦାନ କରିବେ ବୋଲି ଶ୍ରବ୍ୟା ସ୍ଥିର କରିଛନ୍ତି।

Comment