ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ପାଇଁ ଆଜି ତିନି ଜଣ ଜାତୀୟ ସ୍ତରର ନେତା ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ବିଜେପି ସଭାପତି ଅମିତ ଶାହ, ବିଜେପିର ତୁଙ୍ଗ ନେତା ରାଜନାଥ ସିଂ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କୁ ଫୋନ୍ କରିବା ପରେ ନବୀନଙ୍କ ମନ ଏନଡିଏ ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି।

ଜାତୀୟ ରାଜନୀତିରେ ବଢ଼ୁଛି ବିଜେଡି ଏବଂ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱ। ଲୋକସଭାରେ ୧୯ ଏବଂ ରାଜ୍ୟସଭାରେ ବିଜେଡିର ୯ ସାଂସଦ ଥିବାରୁ ଜାତୀୟ ରାଜନୀତିରେ ନବୀନ ଗେମ୍‌ଚେଞ୍ଜର ପାଲଟି ଯାଇଥିବା ଚର୍ଚ୍ଚା ହେଉଛି। ଯେ କୌଣସି ପ୍ରସଙ୍ଗରେ ବିଜେଡିର ସମର୍ଥନ ଲୋଡ଼ୁଛନ୍ତି ଉଭୟ ଉପା ଏବଂ ଏନଡିଏ।

କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍‌ ହେଉ କି ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ। ଅନାସ୍ଥା ପ୍ରସ୍ତାବ ହେଉ କି ଜିଏସ୍‌ଟିକୁ ସମର୍ଥନ। ସବୁଠି ବିଜେଡିର ସମର୍ଥନ ଖୋଜାପଡ଼ିଛି। ହେଲେ ବିଜେଡି କିଛି କ୍ଷେତ୍ରରେ ଏନଡିଏକୁ ସମର୍ଥନ କରିଥିବା ବେଳେ ଆଉ କିଛି କ୍ଷେତ୍ରରେ ସମଦୂରତ୍ୱ କାର୍ଡ ଖେଳି ଦୂରେଇ ରହିଛି। ହେଲେ ଏସବୁ ଭିତରେ ଏବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ବିଜେଡି କ’ଣ କରିବ ତା’ ଉପରେ ସମସ୍ତଙ୍କ ନଜର।

ଆଉ ଦିନକ ପରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ। ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ହେଲେ ଏନଡିଏ ହାତରେ ନାହିଁ ଆବଶ୍ୟକ ସାଂସଦଙ୍କ ସମର୍ଥନ। ଉପାଧ୍ୟକ୍ଷ ପଦ ହାତେଇବା ପାଇଁ ୧୨୫ ଜଣ ସାଂସଦଙ୍କ ସମର୍ଥନ ଦରକାର ଥିବାରୁ ଏନଡିଏ ହାତରେ ରହିଛି ୧୧୫ ସାଂସଦଙ୍କ ସମର୍ଥନ। ଏଣୁ ଆଉ ୧୦ ଜଣ ସାଂସଦଙ୍କ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛି ଏନଡିଏ।

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ନେତା ନୀତିଶ କୁମାର ହରିବଂଶଙ୍କୁ ସମର୍ଥନ କରିବା ପାଇଁ ବିଭିନ୍ନ ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିଛନ୍ତି। ତେବେ ବିଜେଡିର ୯ ଜଣ ସାଂସଦ ଥିବାରୁ ନୀତିଶ କୁମାର ଆଜି ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ନୀତିଶ।

ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନବୀନଙ୍କୁ ଫୋନ କରିଛନ୍ତି। ହରିବଂଶ ସିଂଙ୍କୁ ସମର୍ଥନ କରିବା ପାଇଁ କହିଛନ୍ତି। ହେଲେ ବିଜେଡି ଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇ ନାହିଁ। କାହାକୁ ସମର୍ଥନ କରିବ ସେନେଇ ବୁଧବାର ନିଷ୍ପତ୍ତି ନିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

“ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି। ହରିବଂଶଙ୍କୁ ସମର୍ଥନ କରିବା ପାଇଁ କହିଛନ୍ତି। ହେଲେ ଏ ବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ। ୨୦୧୨ରେ ବିଜେଡିର ରାଷ୍ଟ୍ରପତି ପ୍ରାର୍ଥୀ ପି ଏ ସାଙ୍ଗମାଙ୍କୁ ସମର୍ଥନ କରିଥିଲା ଜେଡି(ୟୁ)। ଏଣୁ ଏହି ଆଧାରରେ ନିଷ୍ପତ୍ତି ନିଆଯିବ”, କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ଏପଟେ ବିରୋଧୀ ଦଳ ମଧ୍ୟ ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି। ଯଦିଓ ବିରୋଧୀ ଦଳ ପ୍ରାର୍ଥୀ ଚୟନ କରି ନାହାନ୍ତି ତେବେ ଏନସିପି ନେତ୍ରୀ ବନ୍ଦନା ଚଭନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବନ୍ଦନା ଏକପ୍ରକାର ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଥିବାରୁ ଉପା ମଧ୍ୟ ବିଜେଡିର ସମର୍ଥନ ଲୋଡ଼ୁଛି।

୨୦୧୯ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେଉଛି ଉପା ଏବଂ ଏନଡିଏ ପାଇଁ ସମ୍ମାନର ପ୍ରଶ୍ନ। ଏଣୁ ରାଜ୍ୟସଭା ଆସନ ହାତେଇ ନିଜ ଦବଦବା ବଜାୟ ରଖିବାକୁ ଚାହୁଁଛନ୍ତି ଉଭୟ ମେଣ୍ଟ। ହେଲେ କାହା ପାଖରେ ନାହିଁ ମ୍ୟାଜିକ ସଂଖ୍ୟା।

ରାଜ୍ୟସଭାରେ ବର୍ତ୍ତମାନ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୪୫। ଉପାଧ୍ୟକ୍ଷ ପଦବୀ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୫। ଏଣୁ ଉଭୟ ଦଳ ପାଖରେ ଏହି ମ୍ୟାଜିକ ନମ୍ବର ନାହିଁ। ବିଜେପି ପାଖରେ ମାତ୍ର ୬୯ ଜଣ ସାଂସଦ ଅଛନ୍ତି। ଏନଡିଏକୁ ମିଶାଇଲେ ସାଂସଦଙ୍କ ସଂଖ୍ୟା ହେଉଛି ୧୧୫। ଏଣୁ ଏହି ଦଳକୁ ମ୍ୟାଜିକ ନମ୍ବର ଛୁଇଁବାକୁ ହେଲେ ଆଉ ୧୦ ଜଣ ସାଂସଦଙ୍କର ସମର୍ଥନ ଆବଶ୍ୟକ।

ସେହିପରି କଂଗ୍ରେସ ପାଖରେ ଅଛନ୍ତି ୫୦ ଜଣ ସାଂସଦ। ଉପା ମେଣ୍ଟକୁ ମିଶାଇଲେ ହେଉଛନ୍ତି ୧୧୩ ଜଣ ସାଂସଦ। ଏଣୁ ମ୍ୟାଜିକ ନମ୍ବର ପାଇଁ ଉପାକୁ ୧୨ ଜଣ ସାଂସଦଙ୍କର ସମର୍ଥନ ଆବଶ୍ୟକ ପଡ଼ୁଛି। ଏଣୁ ବିଜେଡି ହାତରେ ୯ ଜଣ ସାଂସଦ ରହିଥିବାରୁ ନବୀନ ଜାତୀୟ ରାଜନୀତିରେ ଗେମ୍‌ଚେଞ୍ଜର ପାଲଟି ଯାଇଥିବା କୁହାଯାଉଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ନିର୍ଣ୍ଣାୟକ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି।

Comment