ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍ବି ଅମିତାଭ ବଚ୍ଚନ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କୁ ଦର୍ଶକମାନେ ପ୍ରଥମ ଥର ପାଇଁ ଏକାଠି ଦେଖିବେ ଫିଲ୍ମଠଗ୍‌ସ ଅଫ୍ହିନ୍ଦୋସ୍ତାନ୍ରେ ଜାଣନ୍ତୁ ଆହୁରି କିଛି ରୋମାଞ୍ଚକର ତଥ୍ୟ ଏହି ଫିଲ୍ମ ସମ୍ପର୍କରେ

ୟଶରାଜ ଫିଲ୍ମସର ସବୁଠାରୁ ବିଗ୍‌ ବଜେଟ୍‌ ସିନେମା ଭାବେ ଚର୍ଚ୍ଚାରେ ରହିଛି ‘ଠଗ୍‍ସ ଅଫ୍‌ ହିନ୍ଦୋସ୍ତାନ’। ଏହାର ପ୍ରଯୋଜକ ହେଲେ ଆଦିତ୍ୟ ଚୋପ୍ରା। ଏହି ଫିଲ୍ମର ବଜେଟ୍ ହେଲା ୨୫୦ କୋଟି।

ଇନ୍ଦ୍ର କୁମାର ପାରିଲେନି, ବିଜୟ ପାରିଲେ

ବଲିଉଡର ଦୁଇ ଦିଗ୍‌ଗଜ କଳାକାର ହେଲେ ଅମିତାଭ ବଚ୍ଚନ ଓ ଅମୀର ଖାନ। ଏ ଦୁହିଁଙ୍କୁ ଏକାଠି ପରଦାରେ ଆଣିବା ଲାଗି ପ୍ରଥମେ ପ୍ରୟାସ କରିଥିଲେ ଖ୍ୟାତନାମା ନିର୍ଦ୍ଦେଶକ ଇନ୍ଦ୍ର କୁମାର। ‘ଦିଲ୍‌’, ‘ବେଟା’, ‘ରାଜା’, ‘ଇସ୍କ’ ଭଳି ସୁପରିହିଟ୍‌ ଫିଲ୍ମ ନିର୍ମାତା କରିବା ପରେ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାର ବିଗ୍‌ ବି ଓ ଅମୀରଙ୍କୁ ନେଇ ଏକ ଫିଲ୍ମ ତିଆରି କରିବାର ଯୋଜନା କରିଥିଲେ।

ଏହି ଫିଲ୍ମର ଟାଇଟଲ୍‌ ରଖାଯାଇଥିଲା ‘ରିସ୍ତା’। ଏହାର ସ୍କ୍ରିପ୍ଟ କାମ ବି ସରିଥିଲା। ହେଲେ କୌଣସି କାରଣରୁ ପରେ ସେହି ସିନେମା ତିଆରି ହୋ‍ଇପାରିନଥିଲା। ଫଳରେ ଦର୍ଶମାନେ ଗୋଟିଏ ସିନେମାରେ ଅମିତାଭ ଓ ଅମୀରଙ୍କୁ ଏକାଠି ଦେଖିବାକୁ ପାଇନଥିଲେ।

ଇନ୍ଦ୍ର କୁମାର ଯାହା କରିପାରିନଥିଲେ, ତାହାକୁ କରି ଦେଖାଇଲେ ବଲିଉଡର ‘ଧୁମ୍‌’ ସିନେମାର ଡିରେକ୍ଟର ବିଜୟକୃଷ୍ଣ ଆଚାର୍ଯ୍ୟ। ସେ ‘ଠଗ୍‍ସ ଅଫ୍‌ ହିନ୍ଦୋସ୍ତାନ’ରେ ଅମିତାଭଙ୍କ ସହିତ ଅମୀରଙ୍କୁ ଆଣିବାରେ ସକ୍ଷମ ହୋଇଥିଲେ।

ଅମୀର ନୁହେଁ ହ୍ରିତିକ୍ ଥିଲେ ପ୍ରଥମ ପସନ୍ଦ

ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ‘ଠଗ୍‍ସ ଅଫ୍‌ ହିନ୍ଦୋସ୍ତାନ’ରେ ଅମୀର ଖାନଙ୍କୁ ଯେଉଁ ଭୂମିକା ମିଳିଛି, ତାହା ପ୍ରଥମେ ହ୍ରିତିକ ରୋଶନଙ୍କୁ ଅଫର୍ ହୋଇଥିଲା। ଶୁଣିବାକୁ ମିଳିଥିଲା ଯେ ହ୍ରିତିକ୍‌ ସ୍କ୍ରିପ୍ଟରେ ସନ୍ତୁଷ୍ଟ ନ ଥିଲେ। ସେ କିଛିଟା ପରିବର୍ତ୍ତନ ଚାହିଁଲେ କିନ୍ତୁ ନିର୍ଦ୍ଦେଶକ ବିଜୟକୃଷ୍ଣ ଆଚାର୍ଯ୍ୟ ରାଜି ହୋଇନଥିଲେ। ଏହାପରେ ଅମୀରଙ୍କୁ ସେ ଏହି ଅଫର୍ ଦେଇଥିଲେ ଓ ଅମୀର ସାଙ୍ଗେସାଙ୍ଗେ ‘ଠଗ୍‌ସ ଅଫ୍ ହିନ୍ଦୋସ୍ତାନ’ ପାଇଁ ରାଜି ହୋ‍ଇଯାଇଥିଲେ।

ଉପନ୍ୟାସ ଉପରେ ଆଧାରିତ

‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ର କାହାଣୀ ଏକ ଉପନ୍ୟାସ ଉପରେ ଆଧାରିତ। ୧୮୯୩ ମସିହାର ଉପନ୍ୟାସ ‘କନଫେସନ୍‌ ଅଫ୍ ଏ ଠଗ୍‍’ର କଥାବସ୍ତୁ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେସିତ। ଏଥିରେ ୧୭୯୦ରୁ ୧୮୦୫ ଭିତରେ ଥିବା ଭାରତର କଥା ଦର୍ଶାଯାଇଛି।

ଷ୍ଟାରକାଷ୍ଟ

‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କ ବ୍ୟତୀତ କାଟ୍ରିନା କୈଫ୍‌, ଫାତିମା ସାନା ଶେଖ୍‌ ଓ ରୋନିତ ରାୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଏଥିରେ ଅମିତାଭଙ୍କୁ ଅମୀର ଖାନ୍‌ଙ୍କ ପାଳିତ ପିତା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଅମିତାଭଙ୍କ ଅଭିନୀତ ଚରିତ୍ର ହେଲା ‘ଇସମାଇଲ’ ଓ ଅମୀରଙ୍କ ନାଁ ହେଲା ‘ଅମୀର ଅଲ୍ଲୀ’। ଉଭୟେ ‘ଠଗ୍‍’ ଭୂମିକାରେ ଅଭିନୟ କରିଛନ୍ତି।

ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଅମିତାଭ

ଅମିତାଭ ବଚ୍ଚନଙ୍କୁ ଫିଲ୍ମର ସୁଟିଂ ସେଟ୍‌ରେ ଓଜନିଆ ପୋଷାକ ପିନ୍ଧିବାକୁ ପଡ଼ିଥିଲା। ଏହି କାରଣରୁ ବିଗ୍‌ ବିଙ୍କ ପିଠି ଓ ବେକରେ ଯନ୍ତ୍ରଣା ଅନୁଭୂତ ହେଲା। ଫଳରେ ସେ ସୁଟିଂ ସେଟରେ ହିଁ ଅସୁସ୍ଥ ହୋଇପଡ଼ିଥିଲେ। ବିଶେଷକରି ଷ୍ଟଣ୍ଟସିନର ସୁଟିଂ ବେଳେ ଏଭଳି ଅବସ୍ଥା ଉପୁଜିଥିଲା।

ଏହି ସିନେମାର ସୁଟିଂ ମାଲଟାଠାରେ ଆରମ୍ଭ ହୋଇଥିଲା। ପରେ ଥାଇଲାଣ୍ଡ, ମୁମ୍ବାଇ ଓ ରାଜସ୍ଥାନରେ କରାଯାଇଛି।

‘ଠଗ୍‌ସ ଅଫ୍ ହିନ୍ଦୋସ୍ତାନ’ ଆଗାମୀ ନଭେମ୍ବର ୭ ତାରିଖରେ ଦୀପାବଳି ଅବସରରେ ରିଲିଜ୍‌ ହେଉଥିବା ଜଣାଯାଇଛି। ଅଜୟ-ଅତୁଲ ଏହାର ସଙ୍ଗୀତ ନିର୍ଦ୍ଦେଶକ।

Comment