ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଥିବା ଏକ ବୁଦା ମୂଳରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।
ନାରୀମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସମାଜର ଅନେକ ସ୍ଥାନରେ କନ୍ୟା ସନ୍ତାନମାନେ ଆଜିବି ଅଲୋଡ଼ା। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳରେ।
ଢେଙ୍କାନାଳ ସୋଗର ଅଞ୍ଚଳର ଏକ ବୁଦା ମୂଳରୁ ଶିଶୁକନ୍ୟା ଉଦ୍ଧାର ହୋଇଛି। ନବଜାତ ଶିଶୁକନ୍ୟାକୁ ବୁଦାମୂଳରେ ଛାଡ଼ି ପଳାଇଛି ମା’।
ଗୁରୁବାରଦିନ ସକାଳେ ରାସ୍ତାରେ କିଛି ଲୋକ ଯାଉଥିବା ସମୟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳକୁ ଯାଇ ଶିଶୁ କନ୍ୟାକୁ ଏକ କପଡା ଗୁଡାଇ କେହି ଫୋପାଡି ଦେଇଥିବା ଦେଖିଲେ। ଜନ୍ଦାପିମ୍ପୁଡ଼ି କାମୁଡ଼ି ରକ୍ତାକ୍ତ କରିଦେଇଥିବା ଏହି ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସିଦ୍ଧାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗୁରୁବାର ଦିନ ସକାଳେ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ଏକ ମଣିଷ ଶିଶୁ ପଡ଼ି କାନ୍ଦୁଥିବା ଦେଖିଥିଲେ। ନିକଟରେ କେହି ନ ଥିବା ବେଳେ ନବଜାତ ଶିଶୁ କନ୍ୟାଟିକୁ କେହି ରାସ୍ତାକଡ଼ରେ ଫିଙ୍ଗିଦେଇ ପଳାଇ ଥିବାରୁ ତାକୁ ଜନ୍ଦାପିମ୍ପୁଡ଼ି ଘେରି ଯାଇଥିଲେ।
ସଙ୍ଗେ ସଙ୍ଗେ ସିଦ୍ଧାନ୍ତ ଶିଶୁଟିକୁ ଜନ୍ଦାପିମ୍ପୁଡ଼ି ମଳାରୁ ଉଦ୍ଧାର କରିବା ସହିତ ଏହାକୁ ଧରି ଅଁଳାବେରେଣି ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ନବଜାତକଟିର ଚିକିତ୍ସା ଆରମ୍ଭ କରିଛନ୍ତି। ଜନ୍ଦା କାମୁଡ଼ି ଦେଇଥିବାରୁ ତାର ଅବସ୍ଥା ଭଲ ନାହିଁ। ତଥାପି ଶିଶୁଟିକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଉଦ୍ୟମ ଚଳାଇଛନ୍ତି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


















