ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଣିଘେରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଦର୍ଶ ବିଦ୍ୟାଳୟ। ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଏବଂ କ୍ୟାମ୍ପସରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବାରୁ ଛାତ୍ରଛାତ୍ରୀ ଅସୁବିଧା ଭୋଗୁଛନ୍ତି।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତରାଣ୍ଡୋଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅବସ୍ଥା ସଂଗୀନ ହୋଇଯାଇଛି। ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଏବଂ ସ୍କୁଲ ପରିସରରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ଛାତ୍ରଛାତ୍ରୀମାନେ ପାଣିରେ ପସି ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଆଣ୍ଠୁଏ ପାଣିରେ ଯାତାୟତ କରୁଥିବାରୁ ଛାତ୍ରଛାତ୍ରୀଙ୍କ ପ୍ୟାଣ୍ଟ ଯୋତା କାଦୁଅ ହୋଇଯାଇଛି। ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜି ସକାଳେ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯିବା ବେଳେ ରାସ୍ତା ଶୁଖିଲା ଥିଲା। ହେଲେ ପ୍ରାୟ ଦିନ ଗୋଟାଏ ବେଳକୁ ବିଲ ବାଡ଼ିରେ ଜମି ରହିଥିବା ପାଣି ରାସ୍ତାକୁ ମାଡ଼ି ଆସିଥିଲା। ପାଣି ଏବେ ବଢ଼ୁଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି।

କେନ୍ଦ୍ର ସରକାରଙ୍କର ରଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧିନରେ ୪ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲାର ତରାଣ୍ଡୋଠାରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ହେଲେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ଘରର ଛାତରୁ ପାଣି ଗଳୁଥିବା ବେଳେ ରାସ୍ତା ନିଚା ହୋଇଥିବାରୁ ବାର୍ଷା ଜଳ ରାସ୍ତା ଉପରକୁ ଉଠି ଆସିଛି।

ବର୍ଷା ପାଣି ରାସ୍ତା ଉପରେ ବହୁଥିବାରୁ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ସ୍କୁଲ କେମିତି ଯିବେ ତାକୁ ନେଇ ଏବେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଗତ ଜୁଲାଇ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନୟନ କମିଶନର ରଞ୍ଜନା ଚୋପ୍ରା ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ସ୍କୁଲରେ ଅବ୍ୟବସ୍ଥା ଥିବା ଅନୁଭବ କରି ଏହାର ଶିଘ୍ର ସମାଧାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ତାଗିଦ କରିବା ସହିତ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଦୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମଧ୍ୟ ତାଗିଦ କରିଥିଲେ। ହେଲେ ଇତି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବଦଳି ଯାଇଛନ୍ତି। ନୂଆ ଜିଲ୍ଲାପାଳ ଦାୟିତ୍ୱ ନେଇଛନ୍ତି।

ସ୍କୁଲର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ ନିର୍ମାଣ କାମ ଶେଷ ହୋଇନି। ଏବେ କାମ ଚାଲୁ ରହିଛି। କୋଠାଘର ଛାତରୁ ପାଣି ବୋହିବା ସମ୍ପର୍କରେ ସେ କହିଛନ୍ତି ଯେ ଦୁଇ କାନ୍ଥର ସଂଯୋଗ ସ୍ଥାନରେ ପାଣି ଟିକେ ବୋହି ଥାଇପାରେ। ଏହାକୁ ମରାମତି କରାଯିବ।

ରାସ୍ତା ବୁଡ଼ିଯିବା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ ଖାଲୁଆ ସ୍ଥାନରେ ବିଦ୍ୟାଳୟଟି ଥିବାରୁ ଏହି ସମସ୍ୟା ହୋଇଛି। ଏଥିପାଇଁ ଏକ କଲଭର୍ଟ ତିଆରି ଚାଲିଛି।  ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଏହା ଶେଷ ହୋଇଗଲେ ସମସ୍ୟା ସମାଧାନ ହୋଇଯିବ।

ବିଦ୍ୟାଳୟ ନିର୍ମାଣ କାମ ଶେଷ ନହେଉଣୁ ସରକାର କାହିଁକି ଏତେ ତରବରିଆ ଭାବରେ ସେଠାରେ ପାଠପଢ଼ା ଆରମ୍ଭ କଲେ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ବିଦ୍ୟାଳୟର ସମସ୍ୟା ସମାଧାନରେ ହସ୍ତକ୍ଷେପ କରିବାକୁ ଅଭିବାବକମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ନିର୍ଦ୍ଦେଶକ ଭୁପିନ୍ଦ୍ର ସିଂହ ପୁନିଆଙ୍କ ନିକଟରେ ଦାବି ଜଣାଇଛନ୍ତି।

Comment