ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନାବାଳିକାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗରେ ଗିରଫ ହୋଇଛି ଜଣେ ଯୁବକ ଓ ତା’ର ଦୁଇ ସହଯୋଗୀ। ଏଭଳି ନିନ୍ଦନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ସଦର ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ରାଜୀବ ଲୋଚନ ପଣ୍ଡା।

ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ମିଲନ ନାମକ ଜଣେ ଯୁବକ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଥିବା ନାବାଳିକାଙ୍କ ଘରେ ରହୁଥିଲେ। ସେ ସେଠାକୁ ଘର ନିର୍ମାଣ କରିବା କାମରେ ଆସିଥିଲେ। ଯୁବକଙ୍କ ସାଙ୍ଗରେ ତାଙ୍କ ସାନ ଭାଇ ମୁଲାୟାମ୍ ମଧ୍ୟ ରହୁଥିଲେ। କିଛି ଦିନ ରହିବାପରେ ମିଲନ ଓ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମିକ ନାବାଳିକାଙ୍କ କିଛି ନଗ୍ନ ଫଟୋ ନିଜ ମୋବାଇଲରେ ରଖିଥିଲା।ପରେ ଅଭିଯୁକ୍ତ ଜଣକ ନାବାଳିକାର ସେହି ଫଟୋଗୁଡ଼ିକୁ ତାଙ୍କ ପଡ଼ୋଶୀଙ୍କ କଥାରେ ପଡ଼ି ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଏଥିରେ ଅଭିଯୁକ୍ତକୁ ସାହାଯ୍ୟ କରିଥିଲେ ତା’ର ଭାଇ ଏବଂ ସାଲେପୁରର ଦେବଦତ୍ତ ନାମକ ଜଣେ ଯୁବକ।

ଏହି ଖବର ଅଞ୍ଚଳରେ ପ୍ରସାର ହେବାପରେ ନାବାଳିକା ଓ ତାଙ୍କ ପରିବାର ଲୋକ କେନ୍ଦ୍ରାପଡ଼ା ସଦରଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସଦରଥାନା ପୋଲିସ ବଙ୍ଗୀୟ ଯୁବକଙ୍କୁ ଗିରଫ କରିବା ସହ ଏଥିରେ ସାମିଲ ଥିବା ଦୁଇ ସହଯୋଗୀ ମୁଲାୟାମ ଏବଂ ଦେବଦତ୍ତ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ଯୋଜନା କରିଥିବା ଅଭିଯୁକ୍ତ ପଡ଼ୋଶୀ ସ୍ଵାମୀ ସ୍ତ୍ରୀ ଏପର୍ଯ୍ୟନ୍ତ ଫେରାର୍ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Comment