ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ କମେଣ୍ଟ ମରାକୁ ନେଇ ୪ ଭାଇଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମୀୟ ସ୍ଵାଇଁ, ବାହିନୀପତି, ଦୀପୁ ସେଠୀ, ଚିତ୍ରସେନ ସେଠୀ ଓ ସନ୍ତୋଷ ସ୍ଵାଇଁ। ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଜଣେ ଫେରାର ରହିଛି। ଅଭିଯୁକ୍ତକୁ ଧରିବା ପାଇଁ ବାହାର ରାଜ୍ୟରେ ପୋଲିସର ତନାଘନା ଜାରି ରହିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ପ୍ରକାଶ କରିଛନ୍ତି।

ଗତ ୨୨ ତାରିଖ ରାତିରେ ପିତଳ ଛକଠାରେ କମେଣ୍ଟ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା। ଅମୀୟ ସ୍ଵାଇଁ ଓ ତାଙ୍କ ପତ୍ନୀ ବାଇକ୍‌ରେ ଯିବା ସମୟରେ ପିତଳ ଛକଠାରେ ଦୁର୍ଘଟଣା ସମ୍ମୁଖିନ ହୋଇଥିଲେ। ଫଳରେ ଉଭୟ ଅମୀୟ ଏବଂ ତାଙ୍କ ପତ୍ନୀ ତଳେ ପଡ଼ିଯାଇଥିଲେ। ଏହି ସମୟରେ ପିତଳ ଛକରେ ଫାଷ୍ଟଫୁଡ ଦୋକାନ କରିଥିବା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ଵାଇଁଙ୍କ ପୁଅ ରାଜା ସ୍ଵାଇଁ, ପାଣ୍ଡବ ସ୍ଵାଇଁ, ସମ୍ଭୁ ସ୍ଵାଇଁ ଏବଂ ମଙ୍ଗୁଳୁଙ୍କର ପାଳିତ ପୁଅ(ପୁତୁରା) ଚନ୍ଦନ ସ୍ଵାଇଁ ଅମୀୟ ଏବଂ ତାଙ୍କ ପତ୍ନୀଙ୍କୁ କମେଣ୍ଟ ମାରିଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହେବା ପରେ ଅମୀୟ ପଳାଇ ଥିଲେ। ସେହିଦିନ ରାତି ପ୍ରାୟ ୧୧ଟାରେ ଅମୀୟ ନିଜର କିଛି ସହଯୋଗୀଙ୍କୁ ଧରି ପିତଳ ଛକଠାରେ ଥିବା ରାଜା ସ୍ଵାଇଁଙ୍କ ଫାଷ୍ଟଫୁଡ ଦୋକାନଠାରେ ପହଞ୍ଚିଥିଲେ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ମାରପିଟ ହୋଇଥିଲା। ଏଥିରେ ମଙ୍ଗୁଳୁ ସ୍ଵାଇଁଙ୍କ ତିନିପୁଅ ଏବଂ ପାଳିତ ପୁଅର ମୃତ୍ୟୁ ହୋଇଥିଲା ବୋଲି ପୋଲିସ୍ ସୂଚନାରୁ ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ସ୍ତବ୍ଧ ହୋଇଯାଇଥିଲା ଗଞ୍ଜାମ ଜିଲ୍ଲା। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ସମସ୍ତ ଅଭିଯୁକ୍ତ। ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପ୍ରଶାସନର ଆର୍ଥିକ ସହାୟତା ଏବଂ ଅଭିଯୁକ୍ତଙ୍କର ଗିରଫ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବିଭିନ୍ନ ସ୍ଥାନରେ ଚଢ଼ଉ କରି ସପ୍ତାହକ ପରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଫେରାର ରହିଛି। ଅଭିଯୁକ୍ତମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଠେଙ୍ଗା ଏବଂ କାଠ ଫାଳିଆ ଆଦି ଜବତ କରାଯାଇଥିବା ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି।

Tags: #GanjamMurderCase #FourKilled #Arrest #GanjamSP #SPBrijeshRai

LEAVE A REPLY

Please enter your comment!
Please enter your name here