ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଡାକ୍ତର-ପୋଲିସ ବିବାଦ ତେଜିଲା। ଦୁଇ ଜଣ ଡାକ୍ତରଙ୍କୁ ବେଆଇନ ଭାବେ ପୋଲିସ ଗିରଫ କରିବା, ହାଜତରେ ରାତିସାରା ନିର୍ଯାତନା ଦେବା ଏବଂ ଏହି ଫଟୋ ଭାଇରାଲ କରିବା ଘଟଣାରେ ନ୍ୟାୟ ମିଳୁ ନଥିବାରୁ ଓମ୍‌ସା ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ନୀରବ ଧାରଣା ଦେବାକୁ ଓମ୍‌ସା ନିଷ୍ପତ୍ତି ନେଇଛି। ଏହାସହ ଓମ୍‌ସା ଡାକ୍ତରମାନେ ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

ଗତ ୧ ତାରିଖରେ ଓମସା ଜିଲ୍ଲା ବ୍ୟାପି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲା। ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଓମ୍‌ସା। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଗତ ୧୯ ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟିଥିଲେ ଓମ୍‌ସା ପ୍ରତିନିଧି। ଏପର୍ଯ୍ୟନ୍ତ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଓମସା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୨୫ ତାରିଖରେ ନୀରବ ଗଣତାନ୍ତ୍ରିକ ଗଣଧାରଣା ଦେବ। ଏହି ଧାରଣା ଅପରାହ୍ନ ୧୨ଟା ଠାରୁ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ରାପଡା ଓମସା ଶାଖା ସମ୍ପାଦକ ଡାକ୍ତର ସଞ୍ଜିତ କୁମାର ସେଠୀ ସୂଚନା ଦେଇଛନ୍ତି।

ଗତ ଜୁଲାଇ ୩୧ ତାରିଖରେ କେନ୍ଦ୍ରାପଡା ସହରର ମନକରପୁରଠାରେ ଥିବା ଦୁର୍ଗା ନର୍ସିଂହୋମ ପରିସରରେ ଜଣେ ସାମ୍ବାଦିକଙ୍କ ଫଟୋ ଉଠାଇବାକୁ ନେଇ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ଓ ଓମସା ମୁହାଁମୁହିଁ ହୋଇଛନ୍ତି। ନର୍ସିଂହୋମର ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଡାକ୍ତର ଶିବାଶିଷ ସାହୁ ଓ ଦେବାଶିଷ ସାହୁଙ୍କୁ ପୋଲିସର ବେଆଇନ ଗିରଫଦାରୀ, ହାଜତ ନିର୍ଯାତନା ଓ ଫଟୋ ଭାଇରାଲ ବିରୋଧରେ ଓମସା ରାସ୍ତାକୁ ଓହ୍ଲାଇଥିଲା। ଏହାର ପ୍ରତିବାଦରେ ଗତ ଅଗଷ୍ଟ ୧ ତାରିଖରେ ଜିଲ୍ଲା ଓମସାର ଡାକରାରେ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ରୋଗୀ ସେବା ବନ୍ଦ କରି ଦେଇଥିଲେ ଡାକ୍ତରମାନେ। କରୋନା ସମୟରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିଗିଡିଯିବା ଆଶଙ୍କାରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଡାକ୍ତରମାନଙ୍କୁ ବୁଝାସୁଝା କରିଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଗତ ଜୁଲାଇ ୩୧ ତାରିଖରେ ଦୁଇ ଡାକ୍ତର ଓ ତାଙ୍କ ନର୍ସିଂହୋମର ୪ ଜଣ କର୍ମଚାରୀଙ୍କ ବିରୋଧରେ ପୋଲିସ ଦୁଇଟି ମାମଲା ରୁଜୁ କରିଛି। ଗୋଟିଏ ମାମଲା ଫଟୋ ଉଠାଉଥିବା ସାମ୍ବାଦିକଙ୍କ ଅଭିଯୋଗକୁ ଆଧାର କରି ହୋଇଛି। ଏହି ମାମଲାରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୦୭, ୫୦୬ ଓ ୩୪ ରୁଜୁ ହୋଇଛି।  ଅନ୍ୟଟି ଟାଉନଥାନା ପୋଲିସ ଏସ୍ ଆଇ ସୌମ୍ୟରଞ୍ଜନ ଜାଲିଙ୍କ ଅଭିଯୋଗରେ ଆଇପିସିର ୧୨୭, ୧୪୭, ୩୫୩, ୩୩୨, ୩୩୩, ୨୯୪, ୩୦୭, ୫୦୬, ୧୪୯ ଦଫାରେ ମାମଲା ରୁଜୁ ହୋଇଛି।

BGUକଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଶିବାଶିଷ ସାହୁ ଗତ ଜୁଲାଇ ୩୧ ତାରିଖରେ କେନ୍ଦ୍ରାପଡାରେ ପହଞ୍ଚି  ଅପରାଧିକ କାଣ୍ଡ ଘଟାଇଥିବା ଏସ୍ ପି ନିତିଶେଖର ଏସ୍ ସି ବି ମେଡିକାଲର ଅଧୀକ୍ଷକଙ୍କୁ ଜଣାଇବା ପରେ ଶିବାଶିଷଙ୍କୁ ଜବାବ ମଗାଯାଇଛି। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହାର ସ୍ପଷ୍ଟୀକରଣ ଦେବାକୁ ଏସ୍‌ସିବି ଅଧୀକ୍ଷକ କହିଛନ୍ତି।

ଏହାର ଜବାବରେ ଡାକ୍ତର ଦୁଇ ଭାଇ ତାଙ୍କ ନର୍ସିଂହୋମର କର୍ମଚାରୀଙ୍କ ବିରୋଧରେ କେନ୍ଦ୍ରାପଡା ଟାଉନଥାନା ପୋଲିସ କରିଥିବା ବର୍ବର କାଣ୍ଡ ବିରୋଧରେ ଅଭିଯୋଗ କରିଛନ୍ତି। ଏନେଇ କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଛନ୍ତି ଡାକ୍ତର ଶିବାଶିଷ ସାହୁ।  ୱାନ୍ ସିସିରେ ଏହି ମାମଲାରେ ପୋଲିସ ବିରୋଧରେ ଆଇପିସିର ୪୪୪, ୪୪୭, ୪୪୮, ୪୫୧, ୪୫୨, ୪୫୭, ୪୫୮, ୩୪୧, ୩୪୨, ୩୪୭, ୩୨୩, ୨୯୪, ୩୭୯, ୩୮୪, ୩୮୦, ୫୦୬, ୨୦୧ ଓ ୩୪ ଦଫା ଲଗାଯାଇଥିବା ଶିବାଶିଷଙ୍କ ଓକିଲ କହିଛନ୍ତି।

Comment