ଓଡ଼ିଶାଲାଇଭ୍ ବ୍ୟୁରୋ

ଠିକ୍ ସମୟରେ ରୋଗକୁ ଚିହ୍ନି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଦ୍ଵାରା ସ୍ପଣ୍ଡିଲାଇଟିସ ରୋଗରୁ ଉପଶମ ମିଳିପାରିବ ବୋଲି ଓ୍ଵାର୍ଲ୍ଡ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ ଡେ’ ଅବସରରେ କହିଛନ୍ତି ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା। ପ୍ରତିବର୍ଷ ମେ’ ମାସର ପ୍ରଥମ ଶନିବାର ଓ୍ଵାର୍ଲ୍ଡ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ ଡେ’ ପାଳନ କରାଯାଏ। ଲୋକଙ୍କୁ ସ୍ପଣ୍ଡିଲାଇଟିସ୍ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଉଥିବା ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କହିଛନ୍ତି।

“ବର୍ତ୍ତମାନ ସମୟରେ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସକୁ ନେଇ ସଚେତନତାର ଅଭାବ ରହିଛି। ଏହି ସମସ୍ୟା ପ୍ରାୟ ଯୁବବର୍ଗଙ୍କଠାରେ ଦେଖିବାକୁ ମିଳୁଛି। ଭାରତରେ ପ୍ରତି ୧୦୦ ଜଣ ଯୁବବର୍ଗଙ୍କ ମଧ୍ୟରୁ ଜଣଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ସ୍ପଣ୍ଡିଲାଇଟିସ୍ ରୋଗର ଲକ୍ଷଣକୁ ଚିହ୍ନି ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇଲେ ଏହି ରୋଗ ଠିକ ହେବାର ସମ୍ଭାବନା ରହିଛି”, ଓଡ଼ିଶା ଆର୍ଥାଇଟିସ ଆଣ୍ଡ ରୁମାଟୋଲୋଜି ଫାଉଣ୍ଡେସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି।

ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ ହେଉଛି ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା। ଏଥିରେ ପୀଡ଼ିତ ବ୍ୟକ୍ତିଙ୍କର ମେରୁଦଣ୍ଡ ଏବଂ ବେଗରେ ଯନ୍ତ୍ରଣା ହୋଇଥାଏ।

ଏହି ରୋଗରେ ପୀଡ଼ିତ ବ୍ୟକ୍ତି କାଳନ୍ଦୀ ସାହୁ କୁହାନ୍ତି, ସେ ୧୫ ବର୍ଷ ହେଲା ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ଏହି ରୋଗ ମଝିରେ ମଝିରେ ଭଲ ହୋଇଯାଉଥିଲା। ତେଣୁ ସେ ଏହାକୁ ହାଲୁକା ଭାବେ ନେବା ସହ ଅବହେଳା କରିଥିଲେ। ଫଳରେ ତାଙ୍କୁ ଏହାର ଭୟାନକ ପରିଣାମ ଭୋଗିବାକୁ ପଡ଼ିଲା। ତାଙ୍କର ହିପ୍ ରିପ୍ଲେସମେଣ୍ଟ ହେବା ସହ ଆଖି ସମସ୍ୟା ମଧ୍ୟ ଜଟିଳ ହୋଇପଡ଼ିଥିଲା। ଏହି ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରିବା ଦ୍ଵାରା ବଡ଼ ବିପଦ ଟଳିପାରିବ ବୋଲି କାଳନ୍ଦୀ ସାହୁ କହିଛନ୍ତି।

“ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ ସମସ୍ୟା ଖାସ କରି ଯୁବବର୍ଗଙ୍କଠାରେ ଦେଖିବାକୁ ମିଳେ। ଏହି ସମସ୍ୟା ଯୋଗୁଁ ପୁରୁଷ ବର୍ଗ ଅଧିକ ପ୍ରଭାବିତ ହୋଇଥାନ୍ତି। ସ୍କୁଲ ଏବଂ କଲେଜ ଛାତ୍ରମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ସକାଳୁ ଉଠିଲେ ଅଣ୍ଟା ଦରଜ ହେଉଛି। ଏହି ରୋଗରେ କିଛି ଲୋକଙ୍କର ବେକ ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା ଏବଂ ପେଟ କାଟିବା ସହ ଝାଡ଼ା ହେବା ଏବଂ ଆଖିରେ ସମସ୍ୟା ଦେଖାଦେଉଛି। ଏହି ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ”, କହିଛନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।

ଓଡ଼ିଶା ଆର୍ଥାଇଟିସ ଆଣ୍ଡ ରୁମାଟୋଲୋଜି ଫାଉଣ୍ଡେସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା, ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ ଏବଂ ଓଡ଼ିଶାଲାଇଭ୍‌ର ସିଇଓ ନୀଳାମ୍ବର ରଥ ପ୍ରମୁଖ ଯୋଗ ଦେଇ ଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Tags: #Health #Awarness #AnkylosingSpondylitis

Comment