ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର। ଗାଁକୁ ରାସ୍ତା ନଥିବାରୁ ଜଣେ ବୃଦ୍ଧାଙ୍କୁ ଖଟିଆ ଭାରରେ ଡାକ୍ତରଖାନାକୁ ନିଆଗଲା। ଏହି ଘଟଣା ଘଟିଛି ମାଓବାଦୀ ପ୍ରବଣ କନ୍ଧମାଳ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳ ବାରାହାଲା ଗ୍ରାମରେ।

ଗୋଛାପଡ଼ା ଥାନା ଅନ୍ତର୍ଗତ ବାରାହାଲା ଗ୍ରାମର ଲେବେରିକେଟା ଅଞ୍ଚଳରେ ଏସଓଜି ଯବାନମାନେ କମ୍ବିଂ ଅପରେସନ କରୁଥିବାବେଳେ ସେହି ଗ୍ରାମର ଜଣେ ବୃଦ୍ଧା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଥିଲେ। ଗାଁକୁ ଗାଡ଼ି ଯିବାଆସିବା କରିବା ସୁବିଧା ନଥିବାରୁ ବୃଦ୍ଧା ଜଣ ଡାକ୍ତରଖାନାକୁ ଯିବା ପାଇଁ ସମର୍ଥ ହୋଇନଥିଲେ। ଦୀର୍ଘ ଦିନ ହେଲା ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବୃଦ୍ଧା ଜଣକ।

ବୃଦ୍ଧାଙ୍କୁ ଏହିପରି ଅବସ୍ଥାରେ ଦେଖି କମ୍ବିଂ ଅପରେସନରେ ନିୟୋଜିତ କିଛି ଯବାନ ଖଟିଆ ଭାରରେ ବୃଦ୍ଧାଙ୍କୁ ପ୍ରାୟ ୩ କିଲୋମିଟର ଆଣିବା ପରେ ଏକ ଗାଡ଼ି ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଜଣିବା ପରେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ବୃଦ୍ଧାଙ୍କ ଚିକିତ୍ସା ଲାଗି ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପୋଲିସ ପାଣ୍ଠିରୁ ୧୦ ହଜାର ଟଙ୍କା ବୃଦ୍ଧାଙ୍କ ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଛି। ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିଲେ ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି।

କନ୍ଧମାଳ ଜିଲ୍ଲାର ଅନେକ ଗାଁ ରହିଛି ଯେଉଁଠିକୁ ଯାତାୟତ କରିବା ପାଇଁ କୌଣସି ସୁବିଧା ନାହିଁ। ରାସ୍ତା ତ ଦୂର ଭଲ ପାଦ ଚଲା ବାଟ ମଧ୍ୟ ନାହିଁ। ଯାହା ଫଳରେ ଅନେକ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ସମ୍ଭବନ ହେଉନାହିଁ। ଚିକିତ୍ସା ଅଭାବରୁ ଅନେକ ରୋଗୀଙ୍କର ଜୀବନ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

Tags: #Kandhamal #Phulbani #Hospital #SOGJawan #AilingLady

Comment