ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ପଞ୍ଚାୟତର ସଦନମେଣ୍ଡି ଗ୍ରାମରେ ଏବେଠାରୁ ଦେଖା ଦେଲାଣି ପାଣି ସମସ୍ୟା। ବାରବମ୍ବାର ଦାବି ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ରାସ୍ତା ରୋକ କରି ପ୍ରତିବାଦ ଜଣାଇଛନ୍ତି ସଦନମେଣ୍ଡି ଗ୍ରାମର ମହିଳାମାନେ।

ସୋମବାର ଦିନ ଦୁଇ ଶହର ଊର୍ଦ୍ଧ୍ଵ ମହିଳା ଗରା ବାଲ୍ଟି ରଖି ଠିଆ ରଖି ରାସ୍ତା ରୋକ କରିଥିଲେ। ଫଳରେ  ଫୁଲବାଣୀଠାରୁ ବ୍ରହ୍ମପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରୋକ ଯୋଗୁଁ ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।  

ଧୀରେ ଧୀରେ ତାପମାତ୍ରା ବଢ଼ିବା ସାଙ୍ଗକୁ ନଦୀ ନାଳର ପାଣି ଶୁଖିବାକୁ ଲାଗିଛି। ଏବେଠାରୁ ଜଳ କଷ୍ଟ ଭୋଗିଲେଣି ଲୋକେ। ସଦନମେଣ୍ଡି ଗ୍ରାମରେ ତିନୋଟି ନଳ କୂଅ ରହିଛି, କିନ୍ତୁ ଅଚଳ ଅବସ୍ଥାରେ। କେବଳ ସେତିକି ନୁହେଁ ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଛି, ହେଲେ ପାଣି ସଂଯୋଗ ଦିଆଯାଇ ନାହିଁ। ଫଳରେ ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି।

ପାନୀୟ ଜଳ ସମସ୍ୟା ସମ୍ପର୍କରେ ବାରମ୍ବାର ଗ୍ରାମବାସୀ ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଅଭିଯୋଗ କରିଛନ୍ତି। କିନ୍ତୁ ସମସ୍ୟାର ସମାଧାନ ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଏହାର ପ୍ରତିବାଦ କରି ଆଜି ରାସ୍ତାରୋକ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

Tags: #DrinkingWaterProblem #Phulbani #RoadBlock #Odisha

LEAVE A REPLY

Please enter your comment!
Please enter your name here