ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମୃତଦେହ ସଂରକ୍ଷଣ କରିଖିବା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଟ୍ରେନ ଦୁର୍ଘଟଣା ମୃତ୍ୟୁକୁ ଏବେ ୪ ଦିନ। ମୃତଦେହ ଗଳିତ ଅବସ୍ଥାକୁ ଆସିଯାଇଛି। କିଛି ମୃତଦେହ ଚିହ୍ନଟ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଚିହ୍ନଟ ପ୍ରକ୍ରିୟା ଏବେ ବି ଚାଲିଛି। ଯେଉଁ ମୃତଦେହର ଚିହ୍ନଟ ହୋଇପାରିବ ନାହିଁ ସେଗୁଡ଼ିକୁ ସଂରକ୍ଷଣ କରିରଖାଯିବ।

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୭୫ ଜଣ ଯାତ୍ରୀ। ବାହାନଗାରୁ ଭୁବନେଶ୍ଵର ଅଣାଯାଇଥିଲା ୧୭୦ ମୃତଦେହ। ଭୁବନେଶ୍ଵର ଏମ୍ସ ହସ୍ପିଟାଲ ଶବାଗାରରେ ୧୨୩ ମୃତଦେହ ରଖାଯାଇଥିଲା। ୬୦ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଚାଲିଛି।

ଚାରି ଦିନ ହୋଇଯାଇଥିବାରୁ ମୃତଦେହ ଚିହ୍ନଟ ଏବଂ ସଂରକ୍ଷଣକୁ ନେଇ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରି ନଥିବା ମୃତଦେହଗୁଡ଼ିକୁ ସଂରକ୍ଷିତ କରିବା ପାଇଁ ହାଇଟେକ୍ନୋଲୋଜି ଯୁକ୍ତ ୫ଟି କଣ୍ଟେନରର ବ୍ୟବସ୍ଥା କରାଯାଇଥିବା ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ସୂଚନା ଦେଇଛନ୍ତି।

ଗୋଟିଏ କଣ୍ଟେନରରେ ପ୍ରାୟ ୩୦ରୁ ୪୦ ମୃତଦେହ ରହିପାରିବ। ମୃତଦେହକୁ ପ୍ରାୟ ୨ରୁ ୩ ମାସ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିହେବ ବୋଲି ସେ କହିଛନ୍ତି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ କେହି ନନେଲେ ପରବର୍ତ୍ତୀ ସମୟରେ ବ୍ୟବସ୍ଥା କରାଯିବ ବୋଲି ଆଶୁତୋଷ ବିଶ୍ଵାସ କହିଛନ୍ତି। ମୃତଦେହକୁ ନେଇ କୌଣସି ଦ୍ଵନ୍ଦ୍ଵ ଦେଖାଦେଲେ ଡିଏନଏ ଟେଷ୍ଟ କରାଯାଇ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।

Tags: #BahanagaTrainTragedy #DeadBodyPreservation #Hospital #DeadBodyIdentification

Comment