ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିକୁ ୪ ମାସ ଅତିକ୍ରମ କରିଛି, ହେଲେ ୨୮ଟି ମୃତଦେହ ଏଯାଏଁ ଚିହ୍ନଟ ହୋଇନପାରି କଣ୍ଟେନରରେ ସଂରକ୍ଷିତ ରହିଛି।

ବାହାନଗା ସିରିଜ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ଟି ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ଏହି ମୃତଦେହଗୁଡ଼ିକ ଏବେ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ସଂରକ୍ଷିତ ହୋଇରହିଛି।

ମୋଟ ୮୧ଟି ମୃତଦେହ ଏମ୍ସରେ ସଂରକ୍ଷିତ ହୋଇ ରହିଥିଲା। ୧୧୦ ଜଣ ଦାବିଦାରଙ୍କ ମଧ୍ୟରୁ ୫୩ଟି ଡିଏନଏ ମ୍ୟାଚ କରିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଗତ ୧୦ ଦିନ ହେଲା ୨୮ଟି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନାହାନ୍ତି।

ଦାବିଦାର ନଥିବା ମୃତଦେହଗୁଡ଼ିକର କ’ଣ କରାଯିବ ସେ ନେଇ ରେଳ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ଭୁବନେଶ୍ଵର ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି।

ଗତ ଜୁନ ମାସ ୨ ତାରିଖ ରାତିରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ଘଟଣାସ୍ଥଳରେ ହିଁ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Tags: #BahanagaTrainTragedy #DeadBody #TrainAccident #DeadbodyIdentification

Comment