ଓଡ଼ିଶାଲାଇଭ୍ ବ୍ୟୁରୋ

କାଦୁଅ ରାସ୍ତାରେ ଦବିଗଲା ଆମ୍ବୁଲାନ୍ସ, ଭାରରେ ବୁହାହେଲେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା।

(ଜୟପୁର): କାଦୁଅ ରାସ୍ତାରେ ଦବିଗଲା ଆମ୍ବୁଲାନ୍ସ, ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ପ୍ରାୟ ୨ କିଲୋମିଟର ଦୂର ପର୍ଯ୍ୟନ୍ତ ଭାରରେ ବୋହିଲେ ଗ୍ରାମବାସୀ। ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ନୂଆଗୁଡ଼ା ଗ୍ରାମରେ।

ନୂଆଗୁଡ଼ା ଗ୍ରାମର ସୁନିଲ ରୁଆଙ୍କ ପତ୍ନୀ ସସ୍ମିତା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଡାକ୍ତରଖାନା ନେବା ପାଇଁ ସୁନିଲ ଆମ୍ବୁଲାନ୍ସକୁ ଡକାଇଥିଲେ। କିନ୍ତୁ ଗର୍ଭବତୀଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସଟି ଗାଁଠାରୁ ୨ କିଲୋମିଟର ଦୂରରେ କାଦୁଅ ରାସ୍ତରେ ଅଟକି ଯାଇଥିଲା।

ପରେ ଗ୍ରାମବାସୀ ଏକ ଅଟୋ କରି ସସ୍ମିତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଅଟୋଟି ମଧ୍ୟ କାଦୁଅ ରାସ୍ତାରେ ଆଗକୁ ଗଡ଼ିପାରିଲା ନାହିଁ। ଶେଷରେ ଏକ ଲୁଗା ସାହାଯ୍ୟରେ ଭାର କରି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ପରେ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ପହଞ୍ଚିଥିଲେ ସସ୍ମିତା। ସସ୍ମିତା ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

ପଟ୍ଟାଙ୍ଗି ବ୍ଲକ ସଦର ମହକୁମାଠାରୁ ୬ କିଲୋମିଟର ଦୂରରେ ଥିବା ନୂଆଗୁଡ଼ା ଗ୍ରାମକୁ ଯାତାୟତ କରିବା ପାଇଁ ପକ୍କା ରାସ୍ତାଟିଏ ନାହିଁ। ବର୍ଷା ହେଲେ ଏହି ଗାଁକୁ ଥିବା ମାଟି ରାସ୍ତାଟିରେ ଯାତାୟତା କରିବାକୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।

Tags: #Koraput #PregnantWoman #Odisha #Hospital

Comment