ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ୨୯ ଜଣଙ୍କର ପରିଚୟ ମିଳିପାରୁ ନାହିଁ। ଭୁବନେଶ୍ଵର ସ୍ଥିତ ଏମ୍ସରେ ସଂରକ୍ଷିତ ହୋଇ ରହିଛି ଏହି ମୃତଦେହ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଏମ୍ସର ନିର୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ଵାସ।

ଗତ ଜୁନ ୨ ତାରିଖ, ଶୁକ୍ରବାର ରାତିରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ଏଥିରେ ପ୍ରାଣ ହରାଇଥିଲେ ପ୍ରାୟ ୨୯୩ ଜଣ ଯାତ୍ରୀ। ଏହି ମର୍ମନ୍ତଦ ଦୁର୍ଘଟଣାକୁ ଅଢେଇ ମାସରୁ ଅଧିକ ସମୟ ହେଲାଣି। କିନ୍ତୁ ଏବେ ବି ୨୯ଟି ମୃତଦେହ ଚିହ୍ନଟ ହୋଇପାରୁ ନାହିଁ।

ମୃତଦେହଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିବାରୁ ଡିଏନଏ ପରୀକ୍ଷା କରାଯାଇ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ଦୁର୍ଘଟଣା ପରଠାରୁ ମୃତଦେହ ନେବା ପାଇଁ ଏମ୍ସରେ ହାଜର ହେଉଛନ୍ତି ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର। ଏହି ଦ୍ଵନ୍ଦ୍ଵ ଦୂର କରିବା ପାଇଁ ଦାବିଦାରଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି। ଡିଏନଏ ସାମ୍ପଲ ମିଶିବା ପରେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ଗତ ୧୫ ଦିନ ହେବ କେହି ମୃତଦେହ ଦାବିଦାର ଆସିନଥିବା କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ।

ବର୍ତ୍ତମାନ କିଛି ଦାବିଦାରଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ସେମାନଙ୍କ ପ୍ରକୃତ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଯଦି କୌଣସି ମୃତଦେହର ଦାବିଦାର ନଆସନ୍ତି ତେତେ ସାମୂହିକ ଦାହ କରାଯିବ କିମ୍ବା ସଂରକ୍ଷିତ କରି ରଖାଯିବ ପ୍ରଶାସନର ନିଷ୍ପତ୍ତି ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏମ୍ସ ନିର୍ଦେଶକ।

Tags: #BahanagaTrainTragedy #Deadbody #DeadbodyIdentification #AIIMS

LEAVE A REPLY

Please enter your comment!
Please enter your name here