ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୨୮ଟି ଅଚିହ୍ନା ମୃତଦେହର ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଏମ୍ସ ହସ୍ପିଟାଲ ପକ୍ଷରୁ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯିବା ପରେ ସତ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଭୁବନେଶ୍ଵରସ୍ଥିତ ଭରତପୁର ଶ୍ମଶାନରେ ସଂସ୍କାର କାର୍ଯ୍ୟ କରାଯାଉଛି। ଆସନ୍ତା ଦୁଇଦିନ ମଧ୍ୟରେ ଏହି ସତ୍କାର କାର୍ଯ୍ୟ ଶେଷ ହେବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଗତ ଜୁନ ୨ ତାରିଖ, ଶୁକ୍ରବାର ରାତିରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପ୍ରାୟ ୨୯୩ ଜଣ ଯାତ୍ରୀ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତମାନଙ୍କ ମଧ୍ୟରୁ ୨୮ଟି ମୃତଦେହ ଚିହ୍ନଟ ହୋଇପାରିଲା ନାହିଁ। ଶେଷରେ ଏହି ମୃତ ଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ମୋଟ ୮୧ଟି ମୃତଦେହ ଏମ୍ସରେ ସଂରକ୍ଷିତ ହୋଇରହିଥିଲା। ୧୧୦ ଜଣ ଦାବିଦାରଙ୍କ ମଧ୍ୟରୁ ୫୩ଟି ଡିଏନଏ ମ୍ୟାଚ କରିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବାକି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନଥିଲେ। ଫଳରେ ମଙ୍ଗଳବାର ଦିନଠାରୁ ୨୮ଟି ମୃତଦେହର ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି।

Tags: #BahanagaTrainTragedy #DeadBody #TrainAccident #DeadbodyIdentification #Funeral

Comment