ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଏମ୍ସରେ ଥିବା ବାହାନଗା ଟ୍ରେନ ଦୁର୍ଘଟଣାର ୨୮ଟି ଅଚିହ୍ନା ମୃତଦେହକୁ ବିଏମସି ପକ୍ଷରୁ ସଂସ୍କାର କରାଯିବ।

ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ ଆଗାମୀ ଦିନେ କି ଦୁଇ ଦିନ ଭିତରେ ସତ୍କାର ହେବ। ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯିବ।

ଭରତପୁର ଏବଂ ସତ୍ୟନଗର ଶ୍ମଶାନରେ ମୃତଦେହ ସଂସ୍କାର ହେବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ସଂପୂର୍ଣ୍ଣ ସଂସ୍କାର ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯିବ। ଏହାସହ ବିଏମସି ତରଫରୁ ମଧ୍ୟ ଶବ ବୁହା ଗାଡ଼ି ଯୋଗାଇ ଦିଆଯିବ।  

ମୋଟ ୮୧ଟି ମୃତଦେହ ଏମ୍ସରେ ସଂରକ୍ଷିତ ହୋଇରହିଥିଲା। ୧୧୦ ଜଣ ଦାବିଦାରଙ୍କ ମଧ୍ୟରୁ ୫୩ଟି ଡିଏନଏ ମ୍ୟାଚ କରିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ବାକି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନାହାନ୍ତି।

ଭୁବନେଶ୍ଵର ଏମ୍ସରେ ବର୍ତ୍ତମାନ ୨୮ଟି ମରଶରୀର ପଡ଼ିରହିଛି। ତେବେ ଏସଓପି ଅନୁସାରେ ଏମ୍ସରୁ ମୃତଦେହ ବିଏମସିକୁ ହସ୍ତାନ୍ତରଠାରୁ ଆରମ୍ଭ କରି ଶବସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ।

ଗତ ଜୁନ ମାସ ୨ ତାରିଖ ରାତିରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ଘଟଣାସ୍ଥଳରେ ହିଁ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Tags: #BahanagaTrainTragedy #DeadBody #TrainAccident #DeadbodyIdentification #Funeral

Comment