ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀଙ୍କୁ ଉପଯୁକ୍ତ ସେବା ମିଳିପାରୁ ନାହିଁ। ମୁଖ୍ୟ ଡାକ୍ତରଖାନାରେ ୬୫ଟି ବିଶେଷଜ୍ଞ ଡାକ୍ତର ପଦବୀ ରହିଥିବାବେଳେ ଏଠାରେ ନିଯୁକ୍ତ ହୋଇଛନ୍ତି ମାତ୍ର ୧୮ଜଣ। ନିଯୁକ୍ତ ଥିବା ୧୮ଜଣ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ବିନା ଛୁଟିରେ ରହିଛନ୍ତି।

ବର୍ତ୍ତମାନ ୮ଜଣ ଡାକ୍ତର ପଦୋନ୍ନତି ପାଇଥିବାରୁ ସେମାନେ ମଧ୍ୟ ଏଠାରୁ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଅନ୍ୟତ୍ର ଚାଲିଯିବେ। ମାତ୍ର ୭ ଜଣ ଡାକ୍ତରଙ୍କୁ ନେଇ ଚାଲିବ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା। ୬୫ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୭ ଜଣ କେଉଁ ଭଳି ଭାବେ ଜିଲ୍ଲାରେ ରୋଗୀସେବା ପ୍ରଦାନ କରିବେ ତା’କୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପର ମହଲାରେ ୨୦୦ ଶଯ୍ୟା ବିଶିଷ୍ଟ ଚାକଚକ୍ୟ କୋଠା ନିର୍ମାଣ କରାଯାଇଛି। କିନ୍ତୁ ଡାକ୍ତରଙ୍କ ଅଭାବ କାରଣରୁ ଏଠାକୁ ରୋଗୀ ଆସିବାକୁ ଭୟ କରୁଥିବା କିଛି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏହା ସହିତ ରୋଗୀଙ୍କର ବିଭିନ୍ନ ପରୀକ୍ଷା ପାଇଁ ଲ୍ୟାବ ରହିଥିଲେ ମଧ୍ୟ କୌଣସି ପରୀକ୍ଷା ହୋଇପାରୁ ନାହିଁ। ଫଳରେ ରୋଗୀଙ୍କୁ ବାହାର ଜିଲ୍ଲା ଏବଂ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ଜିଲ୍ଲାର ସାଧାରଣ ରୋଗୀଟିଏ ବହୁ ଖର୍ଚ୍ଚାନ୍ତ ହେଉଛି।

ନବରଙ୍ଗପୁର ଜିଲ୍ଲାର ରୋଗୀଙ୍କୁ ପଡ଼ୋଶୀ ଜିଲ୍ଲା କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଯିବାକୁ ପଡ଼ୁଛି। ସକାଳୁ ଯାଇଥିବା ରୋଗୀଙ୍କୁ ସନ୍ଧ୍ୟା ପରେ ଘରକୁ ଫେରିବାକୁ ପଡ଼ିଥାଏ।

ଜିଲ୍ଲାର ୧୦ଟି ବ୍ଲକର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ବହୁ ହନ୍ତସନ୍ତ ହେବାକୁ ପଡ଼ୁଛି। କେବଳ କେରାପୁଟ ନୁହେଁ ଏଠାକାର ରୋଗୀମାନେ କଟକ, ଭୁବନେଶ୍ୱର ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମକୁ ଯାଇ ଚିକିତ୍ସିତ ହେଉଛନ୍ତି।  

ପୂର୍ବରୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ୧୨୫ ଶଯ୍ୟା ବିଶିଷ୍ଟ ରହିଥିଲା। ୩ ବର୍ଷ ହେବ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଅଲଗା କରାଗଲା। ଏହି ବିଭାଗରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଦିନରାତି ରୋଗୀ ସେବା କରୁଛନ୍ତି। ବର୍ତ୍ତମାନ ଦୁଇଜଣ ଭେଷଜ ବିଶେଷଜ୍ଞ, ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ, ଜଣେ ଚକ୍ଷୁ, ଗଳା ଓ ନାକ ବିଶେଷଜ୍ଞ ରହିଛନ୍ତି। ଏହି ବିଶେଷଜ୍ଞମାନେ ଦିନରାତି ରୋଗୀ ସେବା କରୁଥିବାରୁ ସେମାନଙ୍କ ଉପରେ ଅଧିକ ଚାପ ମଧ୍ୟ ରହିଛି।

ଡାକ୍ତରଖାନାରେ ପାଇଖାନା ଟାଙ୍କି ମରାମତି କରାଯାଇ ନାହିଁ। ଫଳରେ ଡାକ୍ତରଖାନା ପରିସରରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନା ପରିସରରେ ଥିବା ୫ଟି ସ୍ୱତନ୍ତ୍ର କ୍ୟାବିନ ମଧ୍ୟରୁ ଦୁଇଟି କ୍ୟାବିନ ଅନୁପଯୋଗୀ ହୋଇ ପଡ଼ିରହିଛି। ଗୋଟିଏ କ୍ୟାବିନରେ ଏସି ଏବଂ ଫ୍ୟାନ କାମ କରୁନାହିଁ। କ୍ୟାବିନରେ ଥିବା ଶଯ୍ୟା ଉପର ଗଦି ମଧ୍ୟ ଫାଟି ନଷ୍ଟ ହୋଇଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ପଚାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳିପ୍ରସାଦ ବେହେରା କହିଛନ୍ତି, “ଉପର ମହଲା ନୂତନ କୋଠାରେ ମେ’ ମାସ ସୁଦ୍ଧା ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ପଡ଼ିବ ଓ ଗ୍ରାଉଣ୍ଡ ଫ୍ଲୋରରେ ୧୨୫ ପରିବର୍ତ୍ତେ ୭୫ ଶଯ୍ୟା ବ୍ୟବସ୍ଥା କରାଯିବ। ବିଶେଷଜ୍ଞ ଡାକ୍ତର ବସିବା ପାଇଁ ସ୍ୱତନ୍ତ୍ର କ୍ୟାବିନ ସହ ଦୁଇଟି ଲିଫ୍ଟ ବ୍ୟବସ୍ଥା କରାଯିବ। ପାଇଖାନା ଟ୍ୟାଙ୍କି ମରାମତି ଓ ପରିଷ୍କାର କରାଯିବ। ଏଥିପାଇଁ ରାସ୍ତା ଓ ଗୃହ ନିର୍ମାଣ ଏବଂ ପୌରସଂସ୍ଥା ସହ ଯୋଗାଯୋଗ ହୋଇ ସାରିଛି”।

ଡାକ୍ତର ଅଭାବ ଓ ନିଯୁକ୍ତି ନେଇ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ରୋଗୀ କଲ୍ୟାଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

Tags: #Hospital #NabarangpurDist #NabarangpurHospital #Doctors

Comment