ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ମନା କଲେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ। ଜାଣନ୍ତୁ କାହିଁକି?

ଗୁରୁବାରଦିନ ରାଜ୍ୟସଭାରେ ଥିଲା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେଉଥିବାରୁ ଭୋଟିଂ ପ୍ରକ୍ରିୟାରେ ଭାଗ ନେବା ପାଇଁ ସଂସଦରେ ପ୍ରାୟ ସବୁ ମେମ୍ବର ଉପସ୍ଥିତ ଥିଲେ। ଏମିତିକି ତିନି ମାସର ବିଶ୍ରାମ ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସଂସଦରେ ଉପସ୍ଥିତ ଥିଲେ।

ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସମର୍ଥିତ ପ୍ରାର୍ଥୀ ଜିତିଥିବାରୁ ବସିଥିବା ଅରୁଣ ଜେଟଲୀଙ୍କ ସହ ହାତ ମିଳାଇବା ପାଇଁ ଚାହିଁଥିଲେ ମୋଦି। ଏଥିପାଇଁ ହାତ ମଧ୍ୟ ବଢ଼ାଇଥିଲ। ହେଲେ ଜେଟଲୀ ହାତ ମିଳାଇବାକୁ ମନା କରି ଦେଇଥିଲେ। ସେ ସଙ୍ଗେସଙ୍ଗେ ହାତ ଯୋଡ଼ି ନମସ୍କାର କରିଥିଲେ ଯାହାର ପ୍ରତିଉତ୍ତରରେ ମୋଦି ମଧ୍ୟ ନମସ୍କାର କରିଥିଲେ।

ଏହି ଦୃଶ୍ୟଟି କ୍ୟାମେରାରେ କଏଦ ହେବା ପରେ ଏହାକୁ ନେଇ ଗଣମାଧ୍ୟମରେ ବେଶ୍ ଆଲୋଚନା ହୋଇଛି। କିନ୍ତୁ ଏହା ପଛରେ ଜେଟଲୀ ଶାରୀରିକ ସମସ୍ୟା ବୋଲି କୁହାଯାଉଛି।

କିଡନୀ ପ୍ରତିରୋପଣ ପରେ ଅରୁଣ ଜେଟଲୀ ସଂସଦକୁ ପ୍ରଥମଥର ଆସିଥିଲେ। କିଡନୀ ପ୍ରତିରୋପଣ କାରଣରୁ ଜେଟଲୀଙ୍କୁ ଲୋକଙ୍କ ସହିତ କମ ମିଳାମିଶା କରିବାକୁ ମଧ୍ୟ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜେଟଲୀଙ୍କୁ ନିଜକୁ ବହୁତ ବଞ୍ଚାଇ ରଖିବାକୁ ପଡ଼ୁଛି।

ରାଜ୍ୟସଭାର ସଭାପତି ଭେଙ୍କିୟା ନାଇଡୁ ଗୁରୁବାରଦିନ ଗୃହକାର୍ଯ୍ୟ ଆରମ୍ଭରୁ ସତର୍କ କରାଇଥିଲେ ଯେ ଅରୁଣ ଜେଟଲୀଙ୍କୁ  କେହି ଛୁଇଁବା କିମ୍ବା ତାଙ୍କ ନିକଟକୁ ଯିବାକୁ ଚେଷ୍ଟା ନକରିବେ କାରଣ ଏବେ ତାଙ୍କ ସ୍ଵାସ୍ଥ୍ୟ ସୁଧାର ଅବସ୍ଥାରେ ରହିଛି।

ତିନିମାସ ପରେ ସଂସଦ ଗୃହକୁ ପ୍ରବେଶ କଲାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପରି ବରିଷ୍ଠ ନେତା ମଧ୍ୟ ଟେବୁଲ ବାଡ଼େଇ ଅରୁଣ ଜେଟଲୀଙ୍କ ସ୍ଵାଗତ କରିଥିଲେ।

ଜେଟଲୀ ଗୃହ ବାହାରେ ନିଜର ଚେହେରାରେ ଏକ ମାକ୍ସ ଲଗାଇ ଥିବା ଦେଖିବାକୁ ମିଳିଥିଲା। ମାତ୍ର ଗୃହ ଭିତରେ ସେ ଏହାକୁ ମୁହଁରୁ ହଟାଇ ଦେଇଥିଲେ। ଅରୁଣ ଜେଟଲୀ ଶାରୀରିକ ଅସୁସ୍ଥତା ଯୋଗୁଁ ଏବେ ଆର୍ଥିକ ମନ୍ତ୍ରଣାଳୟର ଦାୟିତ୍ଵ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ସମ୍ଭାଳୁଛନ୍ତି।

Comment