ଓଡ଼ିଶାଲାଇଭ୍‍ ବ୍ୟୁରୋ

ନିଜକୁ ଜଣେ ବିଶିଷ୍ଟ ଲେଖକ ଏବଂ ଏକ ବିଦେଶୀ ବିମାନ ଚଳାଚଳ ସଂସ୍ଥାର ପଦସ୍ଥ ଅଧିକାରୀ ରୂପେ ଉପସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଠକି ନେଉଥିବା ୨୪ ବର୍ଷର ଅରୁଣ ପୋଦ୍ଦାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ।

ବହିର ମଲାଟରେ ସେ ଥିଲା ଖ୍ୟାତନାମା ଲେଖକ। ବିଷୟବସ୍ତୁ କିନ୍ତୁ ପୂରା ଅଲଗା। ନିଜକୁ ଜଣେ ବିଶିଷ୍ଟ ଲେଖକ ଏବଂ ଏକ ବିଦେଶୀ ବିମାନ ଚଳାଚଳ ସଂସ୍ଥାର ପଦସ୍ଥ ଅଧିକାରୀ ରୂପେ ଉପସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଠକି ନେଉଥିବା ଜଣେ ମହାଠକକୁ ଗିରଫ କରିଛି ଦିଲ୍ଲୀ ପୋଲିସ।

ବିନା ପରିଶ୍ରମରେ ରାତାରାତି ଧନୀ ହେବାକୁ ଲକ୍ଷ୍ୟ ରଖିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲା ୨୪ ବର୍ଷର ଅରୁଣ ପୋଦ୍ଦାର। ଠକେଇ ଅଭିଯୋଗରେ ନିକଟରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଛି ଅରୁଣ। କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକଉପାଧି ହାସଲ କରିଥିଲେ ହେଁ ଠକେଇକୁ ବୃତ୍ତି ରୂପେ ଆଦରି ନେଇଥିଲା ସେ।

ଅରୁଣର ଘର ବିହାରର ଦରଭଙ୍ଗା ଅଞ୍ଚଳରେ। ସେଠାରେ ବାପାଙ୍କର ଛୋଟ ଅଟାକଳଟିଏ ଅଛି। ସରକାରୀ ସ୍କୁଲରୁ ପାଠପଢ଼ା ସାରି ଦିଲ୍ଲୀ ଆସିଥିଲା। ରାଣୀବାଗ ଅଞ୍ଚଳରେ ଜେଜେବାପାଙ୍କ ସହ ରହି ପାଠ ପଢୁଥିଲା ଅରୁଣ। ପରେ ପରେ ଲୋକଙ୍କୁ ଠକି ବଡ଼ଲୋକ ହେବାର ନିଶା ଘାରିଲା।

ନିଜକୁ ଜଣେ ପ୍ରତିଷ୍ଠିତ ଲେଖକ ରୂପେ ଉପସ୍ଥାପିତ କରିବା ପାଇଁ ନିଜ ନାଁ ଥିବା ଏକ ମଲାଟ ଛାପିଥିଲା। ଏହାକୁ ଏକ ଅଲଗା ବହିରେ ଲଗାଇ ଅନଲାଇନରେ ବିକ୍ରି ପାଇଁ ଛାଡ଼ିଥିଲା। ଟୁଇଟର ଏବଂ ଫେସବୁକରେ ନିଜକୁ ବିଦେଶରେ ପାଠ ପଢ଼ିଥିବା ଜଣେ ଲେଖକ, ସମାଜସେବୀ ଏବଂ ପଦସ୍ଥ ଅଧିକାରୀ ରୂପେ ବର୍ଣ୍ଣନା କରିଥିଲା। ନିଜକୁ ଆଧୁନିକ ବେଶଭୂଷାରେ ସଜେଇ ଭଡ଼ାରେ ଆଣିଥିବା ଦାମୀ କାର୍‌ ଚଢ଼ି ଲୋକଙ୍କୁ ଭୂଆଁ ବୁଲାଉଥିଲା। ନିଜ ପାଇଁ ଅଙ୍ଗରକ୍ଷୀ ବି ନିୟୋଜିତ କରିଥିଲା।

ଜଣେ ଖ୍ୟାତିପ୍ରାପ୍ତ ଲେଖକ ସହିତ ନିଜକୁ ଏକ ବିଦେଶୀ ବିମାନ ଚଳାଚଳ ସଂସ୍ଥାର ପଦସ୍ଥ ଅଧିକାରୀ ବୋଲି କହୁଥିଲା ଅରୁଣ। ସରଳମନା ଲୋକେ ତା’ କଥାରେ ଭଳି ଯାଉଥିଲେ। ଏମିତି ଜଣେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ ପରେ ତାଙ୍କର ଜଣେ ସଂପର୍କୀୟଙ୍କ ପୁଅକୁ ଦିଲ୍ଲୀର ଏକ ନାମୀଦାମୀ ସ୍କୁଲରେ ଆଡମିଶନ କରାଇ ଦେବାକୁ କହି ଅରୁଣ ୮ ଲକ୍ଷରୁ ଅଧିକ ଟଙ୍କା ନେଇଥିଲା।

ସେହି ସ୍କୁଲର ଏକ ଜାଲ ମେଲ୍‌ ଆଇଡି କରି ଆଡମିଶନ ସଂକ୍ରାନ୍ତରେ ମେଲ୍‌ ଦେଇଥିଲା। କିନ୍ତୁ ମହିଳାଜଣକ ସ୍କୁଲକୁ ଯିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିଥିଲା। ସେହିଭଳି ଏକ ମାନବସମ୍ବଳ ସଂସ୍ଥାକୁ ଜୟପୁରରେ କାମ ଯୋଗାଇ ଦେବା ଆଳରେ ବହୁ ଟଙ୍କା ଠକି ନେଇଥିଲା ଅରୁଣ। ସେମାନଙ୍କ ଏତଲା ଭିତ୍ତିରେ ପୋଲିସ ଅରୁଣକୁ ଗିରଫ କରିଛି।

ଅରୁଣକୁ ପୋଲିସ ଗିରଫ କରିବା ପରେ ତା’ ସଂପର୍କରେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ସେୟାର୍‌ କ୍ୟାବରେ ମହିଳାମାନଙ୍କ ସହ ଯାଇ ସେ ସେମାନଙ୍କ ସହ ବନ୍ଧୁତା କରୁଥିଲା। ଅନଲାଇନରେ ଥିବା ବହି ଓ ଅନ୍ୟ ବିବରଣୀ ଦେଖାଇ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲା ଏବଂ କୌଣସି ନା କୌଣସି ଆଳରେ ଟଙ୍କା ଠକି ନେଉଥିଲା। ମୋବାଇଲ ଫୋନ୍‌ ଟ୍ରାକ୍‌ କରି ରାଣୀବାଗ ଅଞ୍ଚଳରୁ ପୋଲିସ ଅରୁଣକୁ ଧରିଥିଲା ଏବଂ ତା’ ନିକଟରୁ ଜାଲ ବହିର ମଲାଟ ଜବତ କରିଥିଲା।

Comment