ଓଡ଼ିଶାଲାଇଭ୍ ବ୍ୟୁରୋ

ଦାରିଦ୍ର୍ୟର ଆଉ ଏକ ଜ୍ଵଳନ୍ତ ଉଦାହରଣ। ସାପ କାମୁଡ଼ାରେ ପୁଅ ମରିଯିବା ପରେ ଶବ ବ୍ୟବଛେଦ କଲେ ସରକାରୀ ସହାୟତା ମିଳିବା ଆଶାରେ ପୁଅର ଶବକୁ କାନ୍ଧରେ ଧରି ୫କିଲୋମିଟର ପର୍ଯ୍ୟନ୍ତ ବୋହି ନେଲେ ପରିବାର ଲୋକେ।
ପୁଣି କାନ୍ଧରେ ବୁହାହେଲା ଶବ। ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ ପୁଅର ଶବକୁ କାନ୍ଧରେ ବୋହିଲା ପରିବାର ଲୋକେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଏକତାଳି ଗାଁରେ।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଏକତାଳି ଗାଁର ଗତକାଲି ରାତିରେ କାମାକ୍ଷାନଗର ଏକତାଳି ଗାଁର ସୁମନ୍ତ ମୁଣ୍ଡା (୯ ବର୍ଷ) ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଥିଲା। ସର୍ପାଘାତ ପରେ ପରିବାର ଲୋକେ ସୁମନ୍ତଙ୍କୁ ଡାକ୍ତରଖାନା ଆଣିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶୁକ୍ରବାର ସକାଳେ ଜଗା ପୁଅଙ୍କ ମୃତଦେହକୁ ଏକ ଅଟୋ ଭଡ଼ା କରି ଘରକୁ ଆଣିଥିଲେ। ମାତ୍ର ଗ୍ରାମରେ ପହଞ୍ଚିବା ପରେ ଆଶାକର୍ମୀ, ସରପଞ୍ଚ ତାଙ୍କୁ ମୃତଦେହ ବ୍ୟବଚ୍ଛେଦ କରାଗଲେ ସରକାରୀ ସହାୟତା ମିଳିବ ବୋଲି କହିଥିଲେ। ହେଲେ ଜଗାଙ୍କ ପାଖରେ ଆଉ ଟଙ୍କା ନ ଥିବାରୁ ସେ ଗ୍ରାମଠାରୁ ୫ କିମି ଦୂର କାମାକ୍ଷାନଗର ମେଡିକାଲକୁ ମୃତଦେହକୁ କାନ୍ଧରେ ଧରି ଆଣିଥିଲେ।


















