ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକତାରେ ଗର୍ଜିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ। ପଶ୍ଚିମବଙ୍ଗରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜିଙ୍କ ନେତୃତ୍ଵାଧୀନ ତୃଣମୂଳ ସରକାରଙ୍କ ଉପରେ ଗର୍ଜିଛନ୍ତି।

“ଆଜିର କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ଦେଖି ଜଣାପଡ଼ୁଛି ଖୁବଶିଘ୍ର ମମତା ବାଜାର୍ଜିଙ୍କ ସରକାରର ପତନ ହେବାକୁ ଯାଉଛି। ଏହି ସରକାର ଅମଳରେ ରାଜ୍ୟରେ ଭ୍ରଷ୍ଟାଚାର ବଢ଼ିଛି। ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅପରାଧ ବଢ଼ିଛି”, କହିଛନ୍ତି ଅମିତ ଶାହ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ଅମିତ ଶାହଙ୍କ ଗସ୍ତକୁ ଦୃଢ଼ ବିରୋଧ କରାଯାଇଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଶାହଙ୍କ ଶୋଭାଯାତ୍ରାକୁ ବିରୋଧ କରି ବିକ୍ଷୋଭକାରୀମାନେ ‘ବେଙ୍ଗଲ ବିରୋଧୀ ଭାଜପା ହଟିଯାଅ’ ଲେଖାଥିବା ପୋଷ୍ଟର ଲଗାଇଥିଲେ।

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୋଲକାତାରେ ଆୟୋଜିତ ହେଉଥିବା ରାଲି ଓ ଜନସଭାରେ ଶାହ ଯୋଗ ଦେଇଛନ୍ତି। ଏଥିରେ ବିଜେପିର ଦୁଇ ଲକ୍ଷ କର୍ମୀ ଯୋଗଦେଇଥିଲେ। “ପଶ୍ଚିମବଙ୍ଗରେ ବିଜେପିକର୍ମୀଙ୍କୁ ଟାର୍ଗେଟ କରାଯାଉଛି। ଆମ ରାଲିକୁ ପଣ୍ଡ କରିବାକୁ ଯୋଜନା ଚଳାଇଛନ୍ତି ମମତା ସରକାର। ଆଜିର ରାଲିର ସିଧାପ୍ରସାରଣ ସ୍ଥାନୀୟ ଚ୍ୟାନେଲ୍‌ଗୁଡ଼ିକରେ କରାଯାଉଥିବାରୁ ଚ୍ୟାନେଲଗୁଡ଼ିକର ସିଗନାଲ୍‌ ଗୁଡିକ ଡାଉନ୍‌ କରିଦିଆଯାଇଥିଲା”, କହିଛନ୍ତି ଅମିତ ଶାହ।

୨୦୧୪ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରୁ କେବଳ ଦୁଇଟି ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇଥିଲା, ଅନ୍ୟ ପକ୍ଷରେ ତୃଣମୂଳ କଂଗ୍ରେସର ୪୨ ଜଣ ସାଂସଦ ରହିଛନ୍ତି। ଏଣୁ ୨୦୧୯ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଅଧିକ ଆସନ ଜିତିବା ଲାଗି ଉଦ୍ୟମ ଆରମ୍ଭ କରିଛି।

ପ୍ରାୟ ଏକ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମିଦିନାପୁର୍‌ରେ ଏକ ବିରାଟ ଜନସଭାରେ ଯୋଗଦାନ କରିଥିଲେ। ସେଠାରେ ମଧ୍ୟ ବଡ଼ ବଡ଼ ପୋଷ୍ଟର ଲଗାଯାଇ ବିଜେପିକୁ ତୃଣମୂଳ ପକ୍ଷରୁ ବିରୋଧ କରାଯାଇଥିଲା।

କୋଲକାତାରେ ମାୟୋ ରୋଡରେ ହେବାକୁ ଥିବା ଏହି ଜନସଭା ସ୍ଥଳ ନିକଟରେ ତୃଣମୂଳ ଓ ବିଜେପି ଭିତରେ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଥିଲା। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ବଡ଼ ବଡ଼ ପୋଷ୍ଟର ଲାଗିଥିବା ବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ ବିଜେପି ବିରୋଧୀ ପୋଷ୍ଟର ବହୁ ସଂଖ୍ୟାରେ ଲଗାଯାଇଥିଲା।

Comment