ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନବୀନ ନିବାସ ଘେରାଉ ବେଳେ ମୁହାଁମୁହିଁ
  • ରାଜମହଲ ଛକରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ଡିଏମ୍‌ଇଟି, ଡିଏମ୍‌ଆର୍‌ଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବି

ଭୁବନେଶ୍ୱର ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର। ମୁହାଁମୁହିଁ ହେଲେ ଛାତ୍ର କଂଗ୍ରେସ କର୍ମୀ ଏବଂ ପୋଲିସ। ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଏହି ଘଟଣା ଘଟିଛି।

ବିଭିନ୍ନ ଦାବି ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିଲା। ଡିଏମ୍‌ଇଟି ଏବଂ ଡିଏମ୍‌ଆର୍‌ଟି ଛାତ୍ରଛାତ୍ରୀଙ୍କୁ କର୍ମନିଯୁକ୍ତି, ସରକାରୀ ହସ୍ପିଟାଲର ଘରୋଇକରଣ ପ୍ରସ୍ତାବକୁ ପ୍ରତ୍ୟାହାର ଆଦି ଦାବି ନେଇ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା। ଏଥିରେ ଡିଏମ୍‌ଇଟି ଏବଂ ଡିଏମ୍‌ଆର୍‌ଟି ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ମାଷ୍ଟରକ୍ୟାଣ୍ଟିନ ଛକରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିବା ପରେ ନବୀନ ନିବାସ ଅଭିମୁଖେ ଯାଇଥିଲେ। ହେଲେ ରାଜମହଲ ଛକରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। କିନ୍ତୁ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ ବିକ୍ଷୋଭକାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା। ଶେଷରେ ପୋଲିସ ଛାତ୍ରକଂଗ୍ରେସ କର୍ମୀଙ୍କୁ ଭ୍ୟାନରେ ପୂରାଇ ଥାନାକୁ ନେଇଥିଲା। ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି।

୭ ଦିନ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବା ପାଇଁ ଛାତ୍ର କଂଗ୍ରେସ କର୍ମୀ ଚେତାବନୀ ଦେଇଛି।

Comment