ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ଘରୋଇ ବସ୍ ଚଳାଚଳ ଠପ୍। ବସ୍ ମାଲିସ ସଂଘ ମଧ୍ୟରେ ବିବାଦରେ ପେଶି ହେଉଛନ୍ତି ଯାତ୍ରୀ।

ମାଲକାନଗିରି ଜିଲ୍ଲା ଘରୋଇ ବସ୍ ଚଳାଚଳ ଗୋଟିଏ ପ୍ରକାର ଠପ୍ ହୋଇଯାଇଛି। ଏହାର କାରଣ ହେଲା ଘରୋଇ ବସ୍ ମାଲିକ ସଂଘକୁ ନେଇ ଉପୁଜିଛି ବିବାଦ। ସଂଘର ସଭାପତି ଭାବେ ଦୁଇ ଜଣ ଦାବି କରୁଥିବା ବେଳେ ଏମାନଙ୍କ ବିବାଦ ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଯାତ୍ରୀ।

ବସ୍ ଚଳାଚଳ ବନ୍ଦ ହେବା ଉଭୟ ଉଭୟକୁ ନିନ୍ଦା କରୁଥିବା ବେଳେ ବିବାଦର ସମାଧାନ କରି ବସ୍ ଚଳାଚଳ ସ୍ଵାଭାବିକ କରିବାକୁ ଦାବି କରିଛନ୍ତି ଯାତ୍ରୀଗଣ। ମାଲକାନଗିରି ଘରୋଇ ବସ୍ ମାଲିକ ସଂଘରେ ଏବେ ଦେଖାଯାଇଛି ବିବାଦ।

ସଂଘର ସଭାପତି ଭାବେ ପୂର୍ବରୁ ଭକ୍ତ ଚରଣ ରାଉତ ରହିଆସିଥିବା ବେଳେ ବର୍ତ୍ତମାନ ବିଜେଡି ନେତା ରମେଶ ପଟନାୟକ ନିଜକୁ ସଭାପତି ବୋଲି ଦାବି କରୁଛନ୍ତି।

“ରମେଶ ପଟନାୟକ ସଂଘରେ ବେଦଖଲ ହୋଇ ବିଭ୍ରାଟ ସୃଷ୍ଟି କରୁଛନ୍ତି। ବସଗୁଡିକ ସ୍ଵାଭାବିକ ଭାବେ ଚଳାଚଳ ଆରମ୍ଭ ହୋଇଥିବା ବେଳେ ରମେଶ ପଟନାୟକ ବସ୍ ଚଳାଚଳ ବନ୍ଦ କରିଦେଇଛନ୍ତି”, ଏହି ଅଭିଯୋଗ କରିଛନ୍ତି ପୂର୍ବତନ ସଭାପତି ଭକ୍ତ ରାଉତ।

ଅପରପକ୍ଷରେ ପୂର୍ବରୁ ବସଗୁଡିକ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରୁନଥିବା ନେଇ ବସଗୁଡିକୁ ତାଗିଦ କରାଯାଇଛି। ଯେଉଁମାନେ ସଂଘର ନିୟମ ମାନି ଚଳିବେ ସେମାନେ ହିଁ ବସ୍ ଚଳାଚଳ କରିପାରିବେ ବୋଲି ଅନ୍ୟତମ ସଭାପତି ରମେଶ ପଟନାୟକ କହିଛନ୍ତି।

ସଂଘ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏଥିରେ ପେଶି ହେଉଛନ୍ତି ସାଧାରଣ ଯାତ୍ରୀ। ରବିବାରଦିନ ସକାଳୁ ହଠାତ୍ ଘରୋଇ ବସ ଚଳାଚଳ ବନ୍ଦ ହୋଇଯିବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ସଂଘର ସମସ୍ୟା ତୁରନ୍ତ ସମାଧାନ କରି ବସ୍ ଚଳାଚଳ ସ୍ଵାଭାବିକ କରିବାକୁ ଦାବି ହୋଇଛି। ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଯାତ୍ରୀଙ୍କ ସ୍ଵାର୍ଥ ପ୍ରତି ଧ୍ୟାନ ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି।

ମାଲକାନଗିରି ଜିଲ୍ଲାବାସୀ ଗମନାଗମନ ପାଇଁ ଅଧିକାଂଶ ଘରୋଇ ବସ୍ ଉପରେ ନିର୍ଭର କରିଥାନ୍ତି। ଯାତ୍ରୀଙ୍କ ଆବଶ୍ୟକତା ମୁତାବକ ସରକାରୀ ବସ ଅପେକ୍ଷା ଘରୋଇ ବସଗୁଡିକର ସଂଖ୍ୟା ଅଧିକା ରହିଛି। ଏଭଳି କ୍ଷେତ୍ରରେ ଆପୋଷ ଆଲୋଚନା କରି ତୁରନ୍ତ ବସ ଚଳାଚଳକୁ ସ୍ଵାଭାବିକ କରିବାକୁ ସାଧାରଣରେ ଦାବି ହୋଇଛି।

Comment