ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ ଆଜି ବିଜେଡି ସରକାରକୁ ସିଧାସଳଖ ନିଶାନା କରିଛନ୍ତି କେନ୍ଦ୍ର ମାନବସମ୍ବଳ  ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର। କଟାକ୍ଷ କରି ବିଜେଡି ସରକାରକୁ ପିସି ସରକାର କହିଛନ୍ତି। ଏଠି ପିସି ନଦେଲେ କାମ ହୁଏନି ବୋଲି କହିଛନ୍ତି ଜାବଡେକର।

ବ୍ରହ୍ମପୁରରେ ଆୟୋଜିତ ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜାବଡେକର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦି ସୁବିଧା ଦେବାରେ ବିଜେଡି ସରକାର ବିଫଳ ବୋଲି କହିଛନ୍ତି ଜାବଡେକର।

“ଓଡ଼ିଶାରେ ଲୋକତନ୍ତ୍ର ନାହିଁ। ଏଠି ବିଜେଡି ତନ୍ତ୍ର ଚାଲୁଛି। ପୂରା ପ୍ରଶାସନକୁ ଶାସକ ଦଳ କବ୍‌ଜା କରି ରଖିଛି। କବେଳ ବିଜେଡି ଲୋକଙ୍କ କାମ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାକୁ ବିଜେଡି ନେତା ଓ କର୍ମୀମାନେ ହାଇଜାକ୍ କରି ନେଉଛନ୍ତି। ଗରିବ ହିତାଧିକାରୀଙ୍କୁ ରାସନ କାର୍ଡ ମିଳୁନାହିଁ। ବିଜେଡି କର୍ମୀମାନେ ହିଁ ରାସନ କାର୍ଡକୁ ଅକ୍ତିଆର କରୁଛନ୍ତି। ଏହି ସରକାର ଅମଳରେ ପିସି ନଦେଲେ କୌଣସି କାମ ହେଉନାହିଁ। ବିଜେଡି କର୍ମକର୍ତ୍ତାମାନେ ଠିକଦାର ପାଲଟି ଯାଇଛନ୍ତି। ସେମାନଙ୍କୁ ତୁଷ୍ଟିକରଣ କରିବା ପାଇଁ ସରକାର କାମ କରୁଛି”, କହିଛନ୍ତି ପ୍ରକାଶ ଜାବଡେକର।

ଜାବଡେକର ଆହୁରି କହିଥିଲେ ଯେ ଓଡ଼ିଶାବସୀ ପରିବର୍ତ୍ତନ ଚାହୁଁଛନ୍ତି। ବିଜେଡି ଉପରେ ଲୋକେ ଅସନ୍ତୁଷ୍ଟ ଅଛନ୍ତି। ଆଗାମୀ ନିର୍ବାଚନରେ ଲୋକେ ବିଜେଡିକୁ ଉଚିତ୍ ଜବାବ ଦେବେ। ବିଜେଡି ଶାସନ ହଟାଇ ଏଠାରେ ବିଜେପି ସରକାର ପ୍ରତିଷ୍ଠା ହେବ।

ଜାବଡେକରଙ୍କ ପିସି ସରକାରର ଜବାବ ରଖିଛି ବିଜେଡି। ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ପ୍ରକାଶ ଜାବଡେକର ଓଡ଼ିଶା ଗସ୍ତରେ ଆସି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ଓଡ଼ିଶାରେ କାର୍ଯ୍ୟକାର ହେଉଥିବା ଯୋଜନାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଭାଗିଦାରୀ ଅଛନ୍ତି। ତେବେ କେଉଁଠି ପିସି କାରବାର ଚାଲିଛି ତାହା ଜାବଡେକର ସ୍ପଷ୍ଟ କରନ୍ତୁ।”

ବିଜେଡି ତନ୍ତ୍ର ଚାଲିଥିବା ଅଭିଯୋଗର ମନ୍ତବ୍ୟ ଦେଇ ଜାବଡେକର କହିଛନ୍ତି ଯେ ୧୮ ବର୍ଷ ହେଲା ଓଡ଼ିଶାରେ ବିକାଶ ତନ୍ତ୍ର ଚାଲିଛି।

Comment