ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଘନୀଭୂତ ହେଉଛି ଲଘୁଚାପ
  • ଲଗାଣ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଲାଗି ରହିଛି ବର୍ଷା
  • କୋରାପୁଟ ଜିଲ୍ଲା ଧସିଲା ପାହାଡ଼
  • କଳାହାଣ୍ଡିରେ ଭାସିଗଲା ପୋଲ
  • ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
  • ବିଏମ୍‌ସି-ସିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍
  • ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ

ଉତ୍ତର-ପଶ୍ଚି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ସୋମବାର ରାତିରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କଟକ ଏବଂ ଭୁବନେଶ୍ୱର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା କାଚୁଛି। କଳାହାଣ୍ଡିରେ ଅସ୍ଥାୟୀ ପୋଲି ଭାସି ଯାଇଥିବା ବେଳେ ଆପ୍ରୋଚ ରୋଡ୍ ମଧ୍ୟ ଧୋଇ ହୋଇ ଯାଇଛି।

କୋରାପୁଟ, ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପଟ ନିକଟରେ ଥିବା ପାହାଡ଼ ଧସିଛି। ମାଟି ଟ୍ରେନ ଲାଇନ ଉପରେ ପଡ଼ିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଧା ବାଟରେ ତିନୋଟି ଟ୍ରେନ ଅଟକି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ହେଲେ ବର୍ଷା ବିତ୍ପାତ ଟଳିନି।

ଆସନ୍ତା ୪୮ ଘଣ୍ଟା ଯାଏଁ ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୮ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ସମ୍ବଲପୁର, ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ୧୪ ଜିଲ୍ଲାର ଜିଲ୍ଲାପାଳ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବର୍ଷା ମୁକାବିଲା ପାଇଁ ବିଏମ୍‌ସି ଏବଂ ସିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବର୍ଷା ହେଲେ କଟକ ଏବଂ ଭୁବନେଶ୍ୱରର ସ୍ଥିତି ବେହାଲ ହୋଇ ଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment