ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏଗ୍‌ଜାମ୍ ୱାରିୟର୍ସ’ର ଓଡ଼ିଆ ସଂସ୍କରଣ ଆଜି ଲୋକାର୍ପିତ ହୋଇଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ପୁସ୍ତକକୁ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ରାଜ୍ୟପାଳ କହିଥିଲେ, “ମନରେ ଦୃଢ଼ ସଙ୍କଳ୍ପ ଓ ଇଚ୍ଛା ଶକ୍ତି ଥିଲେ ଜଣେ ସାଧାରଣ ପିଲା ବହୁ ଉପରକୁ ଉଠିପାରିବ। ପ୍ରଧାନମନ୍ତ୍ରୀ ଲେଖିଥିବା ପୁସ୍ତକରେ ସାଧାରଣ ପିଲାଙ୍କର କଥା ରହିଛି। ଏହି ବହିଟି ବେଶ୍ ଉପାଦେୟ।”

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ପ୍ରଧାନମନ୍ତ୍ରୀ ଏହି ପୁସ୍ତକ ମାଧ୍ୟମରେ ପିଲାମାନଙ୍କୁ ସଫଳ ହେବାର ପରାମର୍ଶ ଦେଇଛନ୍ତି। ପିଲାମାନେ ତାଙ୍କ ଜୀବନରେ କିପରି ସଫଳତା ହାସଲ କରିବେ ସେ ଦିଗ ଉପରେ ପ୍ରଧାନମନ୍ତ୍ରୀ ବହିରେ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି। ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧ ଲେଖିଥିଲେ। ଏହା ଓଡିଆ ପିଲାଙ୍କ ପାଖରେ ପହଁଚିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଖିତ ପୁସ୍ତକର ଓଡିଆ ଅନୁବାଦର ଲୋକାର୍ପଣ ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର ଦିନ ହୋଇ ରହିବ। ଓଡ଼ିଆ ପିଲାମାନେ ମଧ୍ୟ ଏହି ପୁସ୍ତକ ଦ୍ୱାରା ଲାଭ ପାଇ ପାରିବେ। ଏହି ବହିକୁ ରାଜ୍ୟର ସବୁ ବିଦ୍ୟାଳୟରେ ପହଁଚାଇବାର ବ୍ୟବସ୍ଥା କରାଯିବ।”

ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନ ପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ, ଅଧ୍ୟାପକ ବିଶ୍ୱରଞ୍ଜନ, ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଉପସ୍ଥିତ ଥିଲେ।

Comment