ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ରାଜ୍ୟର ସାଢ଼େ ଚାରି କୋଟି ଲୋକ ଏବେ ମାଗଣା ଚିକିତ୍ସା ସୁବିଧା ହାସଲ କରିପାରିବେ।

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିଛନ୍ତି।ଏହାର ନାମ ଦିଆଯାଇଭି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’।

ଏହାର ଉଦେଶ୍ୟ ହେଉଛି ଜନସାଧାରଣଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯେଭଳି ସହଜରେ ପହଞ୍ଚିପାରିବ। ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ବା ଗେମ ଚେଞ୍ଜେର ହେବ ବୋଲି କୁହାଯାଉଛି।

କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହି ଯୋଜନାକୁ ଆରମ୍ଭ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ଓ ଏହା ଏକ ସମନ୍ୱୟକାରୀ ଭୂମିକା ଗ୍ରହଣ କରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହି ଯୋଜନା ଦ୍ୱାରା ରାଜ୍ୟର ୭୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ସେବା ଉପରେ ଏଣିକି ସମ୍ପୂର୍ଣ ଭରସା ରଖିପାରିବେ। ସବୁଠାରୁ ବଡ଼ କଥା ହେଉଛି ଏହା ଅଧୀନରେ ରାଜ୍ୟର ସାଢ଼େ ଚାରି କୋଟି ଲୋକ ଏବେ ମାଗଣା ଚିକିତ୍ସା ସୁବିଧା ହାସଲ କରିପାରିବେ”

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କ୍ୟାପିଟାଲ ହସ୍ପିଟାଲରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କରାଯାଇଥିଲା ଓ ହିତାଧିକାରୀଙ୍କୁ ପ୍ରଥମ କିଟ ଦିଆଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛି ଦିନ ତଳେ ବିବାଦ ସୃଷ୍ଟି ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖରେ ଯେଉଁ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଓଡ଼ିଶା ସେଥିରେ ଭାଗ ନେବନାହିଁ ବୋଲି ଘୋଷଣା କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ।

ଓଡ଼ିଶା ସରକାର ନିଜ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିବା ଫଳରେ ମୋଦିଙ୍କ ଆୟୁଷ୍ମାନ ଯୋଜନାର ଲାଭ ଓଡ଼ିଶା ଲୋକ ପାଇବେ ନାହିଁ। ବିଜେପି ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା। କିନ୍ତୁ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ସେହି ସମାଲୋଚନାର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଅନ୍ୟ କେହି ସାହାଯ୍ୟ କରୁ କି ନକରୁ ଓଡ଼ିଶାର ଲୋକଙ୍କ ପଇସାରେ ବିଜୁ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବ।

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ସରକାରଙ୍କ ଲକ୍ଷ୍ୟ ବୋଲି ନବୀନ ପଟ୍ଟନାୟକ ଦୋହରାଇଥିଲେ। ଖବର ଅନୁସାରେ ରାଜ୍ୟର କୋଣ ଅନୁକୋଣରେ ଥିବା ଲୋକଙ୍କ ପାଖରେ ଏହି ଯୋଜନାକୁ ପହଞ୍ଚାଇବା ପାଇଁ ଏବଂ ସେମାନଙ୍କୁ ଏହା ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ୭୦ ଲକ୍ଷ ଲୋକଙ୍କ ପାଖକୁ ଚିଠି ପଠାଯିବା ପାଇଁ ସ୍ଥିର ହୋଇଛି। ଏହି ଚିଠିରେ ବିଜୁ କଲ୍ୟାଣ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ରହିବ।

ବିଜୁ କଲ୍ୟାଣ ଯୋଜନାରେ ବ୍ୟବସ୍ଥା ରହିଛି ଯେ ପ୍ରତିବର୍ଷ ରାଜ୍ୟର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭରେଜ ଦିଆଯିବ। ତେବେ ମହିଳା ମାନେ ଆଉ ଅଧିକ ଦୁଇ ଲକ୍ଷ ଟଙ୍କାର ସୁବିଧା ପାଇବେ।

ମାଲକାନଗିରିର ଜଣେ ଆଦିବାସୀ ମହିଳାଙ୍କ ପରାମର୍ଶ କ୍ରମେ ନିଜେ ମୁଖ୍ୟମନ୍ତ୍ରୀ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ କଭରେଜ ପରିମାଣ ବୃଦ୍ଧି କରାଯାଇଛି। ମଜା କଥା ହେଉଛି ଓଡ଼ିଶା ସରକାରଙ୍କ ଏହି ଯୋଜନାଟି ଯାହା ଆମେ ସାଧାରଣ ଭାବେ ବୁଝୁ ସ୍ୱାସ୍ଥ୍ୟ ବୀମା (ଇଂସୁରାନ୍ସ) ଯୋଜନା ନୁହେଁ, ଏହା ପ୍ରକୃତରେ ହେଉଛି ସ୍ୱାସ୍ଥ୍ୟ ପ୍ରତିଶୃତି (ଆସୁରାନ୍ସ) ଯୋଜନା। ରାଜ୍ୟର ସବୁ ସରକାରୀ ହସ୍ପିଟାଲରେ ଏଣିକି ଲୋକେ ମାଗଣା ନିଦାନ, ଚିକିତ୍ସା ଓ ଔଷଧ ପାଇପାରିବେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖଟି ହେଉଛି ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଯିଏ ଯେଉଁ ସରକାରୀ ହସ୍ପିଟାଲକୁ ଯିବ ତାକୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ବିନା ଅର୍ଥରେ ଯୋଗାଇଦିଆଯିବ। ତା’ ଛଡ଼ା ପ୍ରତ୍ୟେକ ଗର୍ଭବତୀ ମହିଳା ଓ ଶିଶୁକୁ ହସ୍ପିଟାଲ ନେବା ଆଣିବା ବାବଦକୁ ଅଟୋ ଖର୍ଚ୍ଚ ପାଇଁ ୫୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ।

Comment