ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବିଶାଳ ଟିମ୍ ଗଠନ କରିଛନ୍ତି। ଏହି ବିଶାଳ ଟିମ୍କୁ ନେଇ କଂଗ୍ରେସ ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏଇକ୍ଷଣି ଜଣେ ଦୁଃଖୀ ମଣିଷ। ଦୁଃଖ ଏଥିପାଇଁ ଯେ ସେ ଯାହା ଚାହୁଁଛନ୍ତି ତାହା ହୋଇପାରୁନାହିଁ। ଏବେ ଏବେ କଂଗ୍ରେସର ଯେଉଁ ‘ଭୋଜି ଚିଠା’ ଭଳି କର୍ମକର୍ତ୍ତାମାନଙ୍କ ତାଲିକା ଜାରି କରାଯାଇଛି ସେଥିରେ ସାଧାରଣ ରାଜନୈତିକ ଲୋକଟି ଆଶ୍ଚର୍ଯ୍ୟ ହୋଇଛି।
ନିରଞ୍ଜନ ନିଜେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଶୁଣାଯାଉଛି ପ୍ରକୃତରେ ସେ ଏକ ଛୋଟ ଟିମ୍ ଆଶା କରିଥିଲେ। କିନ୍ତୁ ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଚାପ ପଡ଼ିବା ଫଳରେ ତାଙ୍କୁ ଏକ ବିରାଟ ବଡ଼ ତାଲିକା ପ୍ରସ୍ତୁତ କରିବାକୁ ପଡ଼ିଲା। ମଜା କଥା ହେଉଛି, ତାଙ୍କ ପୂର୍ବବର୍ତ୍ତୀ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗୋଷ୍ଠୀର କିଛି ନେତାଙ୍କୁ ମଧ୍ୟ ଏହି ଟିମରେ ସାମିଲ କରାଯାଇଛି।
ପିସିସିର ଯେଉଁ ତାଲିକା ପ୍ରକାଶ ପାଇଛି ସେଥିରେ ୨୫୦ ପ୍ରାୟ ନେତା ସ୍ଥାନ ପାଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପାଇଁ ୧୪ ଜଣ ଉପସଭାପତି, ୨୪ ଜଣ ସାଧାରଣ ସମ୍ପାଦକ, ୯୯ ଜଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଖାଲି ସେତିକି ନୁହେଁ, ପିସିସିର ୨୭ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ଅଛନ୍ତି।୧୩ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଓ ୨୧ ଜଣ ନିର୍ବାଚନ ପ୍ରଚାର କମିଟି ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।
ନିରଞ୍ଜନଙ୍କ କହିବା ଅନୁଯାୟୀ ଆଗକୁ ନିର୍ବାଚନ ଥିବାରୁ ଏତେ ସଂଖ୍ୟକ ଲୋକ ନିଶ୍ଚିତ ଦରକାର ପଡ଼ିବେ। ତେବେ କିଛି ବରିଷ୍ଠ ନେତା ବାଦ ପଡ଼ିଥିବାରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ସାମିଲ କରାଯିବ ଓ ଆଉ କିଛି ମହିଳାଙ୍କୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ସେ କହିଛନ୍ତି।
ଜଣେ ବରିଷ୍ଠ କଂଗ୍ରେସ ନେତା କହିଲେ,”ସତ କଥା ଯେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ପାଇଁ ନିରଞ୍ଜନ ଉଦ୍ୟମ କରିଛନ୍ତି ଏବଂ ସେ ସବୁ ଗୋଷ୍ଠୀକୁ ଏକାଠି କରିପାରିଛନ୍ତି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି,ଏତେ ସଂଖ୍ୟକ ନେତାଙ୍କଠାରୁ କାମ୍ ଆଶା କରାଯାଇପାରିବ କି ଓ ସେମାନଙ୍କ ଭିତରେ ସମନ୍ୱୟ ରହିପାରିବ କି?”
ପିସିସି ର ଏକ ସୂତ୍ର ଅନୁଯାୟୀ ଏତେ ବଡ଼ ଟିମ ଗଠନ ପଛରେ କାରଣ ହେଉଛି ଶୀଘ୍ର ନିର୍ବାଚନ। ନିର୍ଦ୍ଧାରିତ ସମୟ ଆଗରୁ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ଅନୁଭବ କରି କୁଆଡ଼େ କଂଗ୍ରେସ ଏକାଥରକେ ଏତେ ବଡ଼ ଟିମ ଗଠନ କରିଛି। ସମଗ୍ର ରାଜ୍ୟକୁ ଚାରି ଭାଗରେ ବିଭକ୍ତ କରାଯାଇଛି ଓ ନେତାମାନଙ୍କୁ କିଛି କିଛି କାମ ଦିଆଯାଇଛି। ବିଶେଷ କରି ନିଜ ନିଜ ଅଞ୍ଚଳରେ କଣ ସବୁ ସମସ୍ୟା ରହିଛି ତାହାର ସନ୍ଧାନ କରିବା ସହ ସମାଧାନ ବାଟ ମଧ୍ୟ ଖୋଜିବେ ଏହି ନେତା।
ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି ନିରଞ୍ଜନବାବୁ ଚାଲାକି କରି ତାଲିକା ପ୍ରସ୍ତୁତ କରିଛନ୍ତି ଓ ତାଙ୍କର ଅନୁଗତମାନଙ୍କୁ ଏଥିରେ ସ୍ଥାନ ମିଳିଛି। ଅନ୍ୟ ଜଣେ ବରିଷ୍ଠ ନେତା ଶରତ ରାଉତ କହିଲେ ଯେ, ଏଆଇସିସି ଏହି ତାଲିକାକୁ ଅନୁମୋଦନ କରିଥିବାରୁ ତାଙ୍କର ଏଥିରେ କିଛି କହିବାର ନାହିଁ। କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗୁଛି କାହିଁକି ଏତେ ବଡ଼ କମିଟି ଗଠନ ହୋଇଛି।








ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବିଶାଳ ଟିମ୍ ଗଠନ କରିଛନ୍ତି। ଏହି ବିଶାଳ ଟିମ୍କୁ ନେଇ କଂଗ୍ରେସ ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।





