ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ କେରଳ ବନ୍ୟା ପରିସ୍ଥିତି ବୁଲି ଦେଖିବା ସହ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି।

କେରଳ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶମାର୍ଗରୁ ସ୍ଥିତି ଦେଖିବା ପରେ ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହିତ ୧୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ଏହାସହ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ସାଙ୍ଘାତିକ ଆହତମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଘୋଷଣା କରିଛନ୍ତି।

କେରଳରେ ବନ୍ୟା ଓ ଭୂସ୍ଫଳନ ଯୋଗୁଁ ୯ଦିନରେ ୩୨୪ ଜଣଙ୍କ ମୃତ୍ୟୁ ଘଟିଛି। ୩ ଲକ୍ଷ ୧୦ହଜାର ବିପନ୍ନ ଲୋକଙ୍କୁ ୨ ହଜାର ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନୌସେନାର ୪୨ଟି ଟିମ୍‍, ସ୍ଥଳ ସେନାର ୧୬ଟିମ୍‍, ତଟ ସୁରକ୍ଷା ବାହିନୀର ୨୮ଟି ଟିମ୍‍ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୩୯ଟି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନ୍‍ଡିଆରଏଫ୍‍ର ଆଉ ୧୪ଟି ଟିମ୍‍କୁ ଖୁବ୍‍ ଶୀଘ୍ର ନିୟୋଜିତ କରାଯିବ। ୩୦ଟି ସେନା ହେଲିକପ୍ଟର ଓ ୩୨୦ଟି ମୋଟର ବୋଟ୍‍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଆଲାପୁଝା, ଏନ୍ନାକୁଲମ୍‍, ଥ୍ରିସୁର ଓ ପାଥାନମଥିଟ୍ଟା ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ଲୋକମାନେ ଗଛ ଓ ଛାତ ଘର ଉପରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନ, ରାଜ୍ୟପାଳ ପି ଶତଶିବମ୍‌ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ ଜେ ଆଲ୍‌ଫୋନ୍‌ସ୍‌ ପ୍ରଧାମନ୍ତ୍ରୀଙ୍କ ସହ ଆକାଶମାର୍ଗ ପରିଦର୍ଶନ ବେଳେ ଥିଲେ।

Comment