ଓଡ଼ିଶାଲାଇଭ୍‍ ବ୍ୟୁରୋ

କେରଳ ବନ୍ୟାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ଏସବୁ ଭିତରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଆଶ୍ରୟ ଶିବିରରେ ନୂଆ ସଂସାର ଗଢ଼ିଛନ୍ତି ବିପନ୍ନ ନବଦମ୍ପତି।

ପାଣିରେ ଘର ବୁଡ଼ି ଯାଇଛି। ପରିବାରର ସମସ୍ତେ ଆଶ୍ରୟ ଶିବିରରେ। ସରକାରୀ ହେଉ ବା ବେସରକାରୀ, ସହାୟତା ସାମଗ୍ରୀ ଭରସାରେ ହିଁ ଦିନ କଟୁଛି। ଏତେ ଦୁଃଖ ସତ୍ତ୍ୱେ ନୂଆ ସଂସାର ଗଢ଼ିବାର ଶପଥ। ବନ୍ୟା ବିପନ୍ନଙ୍କ ଶିବିରରେ ବାହାଘର। ପ୍ରଳୟଙ୍କରୀ ବନ୍ୟା ପ୍ରପୀଡ଼ିତ କେରଳର ମାଲାପୁରର ଏକ ଆଶ୍ରୟ ଶିବିରରେ ବିବାହ କରିଛନ୍ତି ଅଞ୍ଜୁ ଓ ସାଇଜୁ।

କେରଳରେ ଭୟାବହ ବନ୍ୟାଯୋଗୁଁ ଘରଦ୍ୱାର ହରାଇଛନ୍ତି ଲକ୍ଷ ଲକ୍ଷ ଲୋକ। ପାଣିରେ ଘରଦ୍ୱାର ବୁଡ଼ିଯାଇଛି, ଧନସଂପତ୍ତି ଭାସି ଯାଇଛି। ପାଣି ଘେରରୁ ମୁକୁଳି ଉଦ୍ଧାର ଶିବିରରେ ଆଶ୍ରୟ ନେଇଛନ୍ତି। ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ରହିଛି ମାଲାପୁରମ୍‌।

ମାଲାପୁରମର ଏକ ସ୍କୁଲରେ ଖୋଲିଥିବା ଆଶ୍ରୟ ଶିବିରରେ ରହିଥିଲେ ଅଞ୍ଜୁ ଏବଂ ସାଇଜୁ। ପୂର୍ବରୁ ଦୁହିଁଙ୍କର ବିବାହ ସ୍ଥିର ହୋଇଥିଲା। କିନ୍ତୁ ବନ୍ୟାରେ ସବୁ କିଛି ହରାଇବା ପରେ ବିବାହ କଥା କେହି ଚିନ୍ତା ହିଁ କରିପାରୁ ନଥିଲେ। ଅନ୍ୟ ଶିବିରାର୍ଥୀମାନେ ଏ କଥା ଜାଣିବା ପରେ ଦୁହିଁଙ୍କୁ ବିବାହ କରିବାକୁ ଉତ୍ସାହିତ କଲେ। ବନ୍ୟାର ଦୁଃଖରେ ବି ବାହାଘରର ଆନନ୍ଦ ଉପଭୋଗ କରିବାକୁ ମନ ବଳାଇଲେ ବିପନ୍ନମାନେ।

ଅଞ୍ଜୁ ଓ ସାଇଜୁ ବି ଏଭଳି ଏକ ବିରଳ ଅନୁଭୂତିକୁ ସାରା ଜୀବନ ପାଇଁ ସାଇତି ରଖିବାକୁ ସ୍ଥିର କଲେ। ଗତ ରବିବାର ଦିନ ପରିବାର ଓ ସଂପର୍କୀୟଙ୍କ ଉପସ୍ଥିତିରେ, ରୀତିନୀତି ଅନୁସାରେ ନିକଟରେ ଥିବା ତିରିପୁନ୍ତ୍ରା ମନ୍ଦିରରେ ଦୁହିଁଙ୍କର ବିବାହ ହେଲା। ଶିବିରାର୍ଥୀମାନେ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ। ମନ୍ଦିରର ଟ୍ରଷ୍ଟିମାନେ ଯେନତେନ ପ୍ରକାରେଣ ଭୋଜି ବ୍ୟବସ୍ଥା ବି କରିଦେଲେ। ବାହାଘର ପରେ ପୁଣି ଏମଏସପି ସ୍କୁଲର ଆଶ୍ରୟ ଶିବିରକୁ ଫେରିଥିଲେ ନବଦମ୍ପତି।

ନବଦମ୍ପତିଙ୍କ ଘରଲୋକଙ୍କ କହିବା ଅନୁସାରେ ସେମାନଙ୍କ ଘରର ତିନି-ଚତୁର୍ଥାଂଶ ପାଣିରେ ବୁଡ଼ି ଯାଇଛି। ତେଣୁ ସେମାନେ ବିବାହ ଘୁଞ୍ଚାଇବାକୁ ସ୍ଥିର କରିଥିଲେ। କିନ୍ତୁ ଶିବିରରେ ରହୁଥିବା ଅନ୍ୟମାନେ ସାହସ ଓ ସମର୍ଥନ ଦେଇଥିଲେ। ନିର୍ଦ୍ଧାରିତ ତିଥିରେ ବିବାହ ସାରିବାକୁ ପ୍ରବର୍ତ୍ତାଇ ଥିଲେ। ସେମାନଙ୍କ ଆଗ୍ରହ ଦେଖି ଦୁଇପକ୍ଷର ଲୋକେ ବିବାହ ପାଇଁ ରାଜି ହୋଇଥିଲେ। ଘର ଉଜୁଡ଼ି ଯାଇଥିଲା ସିନା, ନୂଆ ସଂସାର ଗଢ଼ିବାକୁ ଶପଥ ନେଇଥିଲେ ବିପନ୍ନ ନବଦମ୍ପତି।

Comment