ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପାଟକୁରା ଗାଁର ଜଗବନ୍ଧୁ ନାୟକଙ୍କ ଝିଅ ସୁମିତ୍ରା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ। ଦୀର୍ଘ ଦିନ ହେଲା ସୁମିତ୍ରା କର୍କଟ ରୋଗରେ ପୀଡ଼ିତ ତିଲେ ମଧ୍ୟ ତାଙ୍କର ଚିକିତ୍ସା କରିପାରୁ ନାହାନ୍ତି ପରିବାରବର୍ଗ। ଚିକିତ୍ସା ପାଇଁ ଟଙ୍କା ଅଭାବ ଥିବାରୁ ଝିଅକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାପା ଜଗବନ୍ଧୁ ଏବଂ ମା’ କୌଶଲ୍ୟା ନାୟକ। ବ୍ୟୟବହୁଳ କର୍କଟ ରୋଗର ଚିକିତ୍ସା କେମିତି କରିବେ ସେନେଇ ବାପା, ମାଆଙ୍କ ଆଖିରୁ ନିଦ ହଜି ଯାଇଛି।

ଜଗବନ୍ଧୁ ପାଟକୁରା ଥାନାରେ ହୋମଗାର୍ଡ ଚାକିରି କରିଛନ୍ତି। ମାସକୁ ଯାହା ଦରମା ମିଳେ ସେଥିରେ  ତାଙ୍କ ପରିବାର ଚଳିବା କଷ୍ଟକର ହୋଇଯାଏ। ହେଲେ ଝିଅ ସୁମିତ୍ରା ଭଲ ପାଠ ପଢ଼ୁଥିବାରୁ ଅଭାବ ଅସୁବିଧା ଭିତରେ ଜଗବନ୍ଧୁ ଝିଅକୁ କଲେଜରେ ପାଠ ପଢାଉଥିଲେ। ସୁମିତ୍ରା ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ରେ ପାଠ ପଢ଼ୁଥିଲେ। ଭଲ ପାଠ ପଢ଼ି ଚାକିରି କରିବାକୁ ସୁମିତ୍ରା ସ୍ୱପ୍ନ ଦେଖିଥିଲେ। କିନ୍ତୁ ସେ ଆଶା ଧୂଳିସାତ୍ ହୋଇଗଲା।

ଗତ ମାର୍ଚ୍ଚ ମାସରେ ସୁମିତ୍ରା ହଠାତ୍ ଜ୍ୱରରେ ଆକ୍ରାନ୍ତ ହେଲା। ପରିବାର ଲୋକେ ସୁମିତ୍ରାଙ୍କୁ ପାଖ ଡାକ୍ତରଖାନାରେ ଚିକିତ୍ସା କରାଇଲେ। ହେଲେ ଜ୍ୱର ଭଲ ହେଲାନି। ଜଗବନ୍ଧୁ ଝିଅକୁ କଟକ ବଡ଼ ଡାକ୍ତରଖାନା ନେଇଗଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଲା କି ସୁମିତ୍ରା ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି। ମୁଣ୍ଡ ଉପରେ ବଜ୍ର ଛିଡ଼ି ପଡ଼ିଲା ପରି ଅନୁଭବ କଲେ ସୁମିତ୍ରା ଓ ତାଙ୍କ ପରିବାର ଲୋକେ। ଘରେ ଯାହା ସୁନା ଗହଣା ଥିଲା ସବୁ ବିକ୍ରି କରି ଝିଅର ଚିକିତ୍ସା ଖର୍ଚ୍ଚରେ ଲଗାଇ ଦେଇଛନ୍ତି ଜଗବନ୍ଧୁ। ହେଲେ ଏବେ ଆଉ ପାଖରେ କିଛି ବି ନାହିଁ। ପ୍ରତିଦିନ ସୁମିତ୍ରା ପାଇଁ ରକ୍ତ ଦରକାର ପଡ଼ୁଛି।  ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ମଧ୍ୟ ଟଙ୍କା ଦରକାର ପଡ଼ୁଛି। ହେଲେ ଠିକ୍ ସମୟରେ ଯୋଗାଡ଼ କରିପାରୁ ନାହାନ୍ତି ଜଗବନ୍ଧୁ।

ଝିଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବାକୁ ଆତ୍ମିୟ ସ୍ୱଜନଙ୍କଠାରୁ ଧର କରଜ କରିସାରିଲେଣି  ଜଗବନ୍ଧୁ। ଗୋଟିଏ ପାଖରେ ଝିଅର ଜୀବନ ବଞ୍ଚାଇବାକୁ ପ୍ରାଣମୁର୍ଛା ଉଦ୍ୟମ ଆଉ ଅନ୍ୟ ପାଖରେ ଦାରିଦ୍ର୍ୟର ତାଡ଼ନାରେ ଭାଙ୍ଗି ପଡ଼ିଛନ୍ତି ଜଗବନ୍ଧୁ। ଡାକ୍ତର କହିଛନ୍ତି ଆଉ ୬ ମାସ ସୁମିତ୍ରାଙ୍କୁ ରକ୍ତ ଦେବାକୁ ପଡ଼ିବ। ଦେହରୁ ରକ୍ତ କଣିକା ଶୁଖିଶୁଖି ଯାଉଥିବାରୁ ଯନ୍ତ୍ରଣା ବଢିବଢି ଯାଉଛି। ଏସବୁ ଚିନ୍ତା କରି ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଛନ୍ତି। ଝିଅ ଜୀବନ ବଞ୍ଚାଇବା ପାଇଁ ଏବେ ଜଗବନ୍ଧୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସହାୟତା ଚାହିଁଛନ୍ତି।

ଯେଉଁମାନେ ସୁମିତ୍ରାଙ୍କୁ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନମ୍ବର – ୩୦୮୬୦୭୯୭୯୪୩ ଏବଂ ଫୋନ ନମ୍ବର -୯୬୬୮୩୬୨୩୧୨ରେ ଯୋଗାଯୋଗ କରିବାକୁ ଜଗବନ୍ଧୁ ‘ଓଡ଼ିଶାଲାଇଭ୍‌’ ମାଧ୍ୟମରେ ନିବେଦନ କରିଛନ୍ତି।

Comment