ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ଗଣଶିକ୍ଷକ ଗଣେଶ କୁମାର ମାଝୀ ହତ୍ୟା ମାମଲାରେ ନୂଆ ମୋଡ଼।  ଏହି ହତ୍ୟା ପଛରେ ପ୍ରେମ ସମ୍ପର୍କ ରହିଛି ବୋଲି ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପତ୍ରମୁଣ୍ଡା ଗ୍ରାମର ଗଣଶିକ୍ଷକ ଗଣେଶ କୁମାର ମାଝୀ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରଶାନ୍ତ କୁମାର ସାହୁଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରିଛି। ପ୍ରଶାନ୍ତଙ୍କ ଘର ଖଣ୍ଡଗୁଡା ଗ୍ରାମରେ।

ପ୍ରଶାନ୍ତ କନେଷ୍ଟେବଳ ଭାବରେ ତେନ୍ତୁଳିଖୁଣ୍ଟି ଥାନାରେ କାମ କରୁଥିଲେ। ଏହି ହତ୍ୟା ପଛରେ ପ୍ରେମ ସମ୍ପର୍କ ରହିଛି ବୋଲି ନବରଙ୍ଗପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ଏକ ଫାର୍ସା ଯୋଗେ ଗଣେଶକୁ ହତ୍ୟା କରିଥିଲେ। ହତ୍ୟାପରେ ଏକ ବସ୍ତା ଅଖାରେ ଭର୍ତ୍ତିକରିଥିଲେ। ପରେ ବେହେରାଗୁଡା ସ୍ଥିତ କୁସୁମଜହର କେନାଲ କୂଅରେ ଫୋପାଡ଼ି ଦେଇଥିଲେ। ଏହା ସହ ଶିକ୍ଷକଙ୍କ ବୁଲେଟକୁ ମଧ୍ୟ କୂଅ ଭିତରେ ଫୋପାଡ଼ି ଦେଇଥିଲେ।

ଅଗ୍ନିଶମ ବିଭାଗ ସହାୟତାରେ ନବରଙ୍ଗପୁର ପୁଲିସ ବୁଲେଟକୁ କୂପଭିତରୁ ବାହାର କରି ଜବତ କରିଥିଲା। ଗଣେଶଙ୍କୁ ପ୍ରଶାନ୍ତ ମୋବାଇଲରେ ଫୋନ କରି ଡାକିଥିଲେ। ଏହାପରେ ସେ ଘରକୁ ଫେରି ନଥିବା ଗଣେଶଙ୍କ ସ୍ତ୍ରୀ ପ୍ରଣତି କହିଥିଲେ।

ଗଣେଶ ନିଖୋଜ ଥିବା ତାଙ୍କ ଜ୍ୱାଇଁ ଜୟସର ମାଝୀ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ୧୫ତାରିଖ ଦିନ କୁସୁମଜହର ଜଳଭଣ୍ଡାର କେନାଲ କୂପରୁ ଗଣେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ହତ୍ୟା ଘଟଣାରେ କଷାଗୁମୁଡା ବ୍ଲକର ରାଜୋଡା ଗ୍ରାମର ବାବୁଲା ମିଶ୍ର ମଧ୍ୟ ଜଡିତ ଥିବା ସୂଚନା ଦେଇଛନ୍ତି ଏସପି। ସେ ବର୍ତ୍ତମାନ ଫେରାର ଥିବାବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ଅଡିସନ।ଲ ଆଇ ଆଇ ସି ମୁନି ଆଚାରି, ଦିଲ୍ଲୀପ ପ୍ରଧାନ,ପି ଏସ ଆଇ ବିନୋଦ କୁମାର ପରିଡା, ରମେଶ ଚନ୍ଦ୍ର ପାତ୍ର, ମନ୍ଦାକିନି ଗୁରୁ, ଆରତୀ ପରିଡା, ସ୍ମୃତି ରଞ୍ଜନ ମହାନ୍ତି, ସରୋଜ ଦାଶ ଉପସ୍ଥିତ ଥିବାବେଳେ ଏହି କେସର ଆଇଓ ଥିଲେ ନବୀନ କୁମାର ଟପ୍ପୋ।

LEAVE A REPLY

Please enter your comment!
Please enter your name here