ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର କଲ୍ୟାଣ ପାଇଁ ଶ୍ରାବଣ ମାସର ଶେଷ ସୋମବାରରେ କାଉଡ଼ି ଯାତ୍ରା କରିଛନ୍ତି କିନ୍ନର।
ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କଲେ ସବୁ ପାପରୁ ମୁକ୍ତି ମଳିବା ସହ ମନସ୍କାମନା ବି ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଅନେକ ଲୋକ ବାହାରିଥାନ୍ତି କାଉଡ଼ି ଯାତ୍ରାରେ। ହେଲେ ବିଶ୍ୱର କଲ୍ୟାଣ ପାଇଁ ଏହି ଯାତ୍ରାରେ ସାମିଲ ହୋଇଥିଲେ କିନ୍ନର। ଶ୍ରାବଣ ଶେଷ ସୋମବାରରେ ଶହ ଶହ କିନ୍ନର କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି।
ସୋମବାର ସକାଳୁ କଟକ ଗଡ଼ଗଡ଼ିଆ ଘାଟରେ ଲାଗିଥିଲା କିନ୍ନରମାନଙ୍କ ଗହଳି। ମହାନଦୀର ଗଡ଼ଗଡ଼ିଆ ଘାଟରେ ବୁଡ଼ ପକାଇ ନୂଆ ଲୁଗା ପିନ୍ଧି ମୁଣ୍ଡରେ ଚନ୍ଦନ ମାରି ବାଲିରେ ତିଆରି ଶିବ ଲିଙ୍ଗଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମୁଣ୍ଡରେ କଳସ ରଖି ଲିଙ୍ଗରାଜ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପ୍ରାୟ ୩୦୦ କିନ୍ନର ଏଥିରେ ସାମିଲ୍ ହୋଇଥିଲେ।
ଓଡ଼ିଶା କିନ୍ନର ଆଖଡ଼ାର ସଭାପତି ମୀରା ପରିଡ଼ା କହିଛନ୍ତି, “ସାରା ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ସଦଭାବ ପ୍ରତିଷ୍ଠା ପାଇଁ ଏହି ଯାତ୍ରା ଆୟୋଜନ କରାଯାଇଛି। ସାରା ବିଶ୍ୱରେ ଭାଇଚାର ସୃଷ୍ଟି କରିବା ସହ ଆତଙ୍କବାଦର ବିନାଶପାଇଁ ଆମର ଏ ଯାତ୍ରା। ଶିବ ହେଉଛନ୍ତି ଆମର ଇଷ୍ଟ ଦେବତା। ତାଙ୍କ ଉପରେ ଜଳାଭିଷେକ କରିବା ପାଇଁ ଏହି ପଦକ୍ଷେପ ନେଇଛୁ।”
ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ କିନ୍ନରମାନେ ଆସି ଏହି କାଉଡ଼ି ଯାତ୍ରାରେ ସାମିଲ ହୋଇଥିଲେ। ଉତ୍ତର ପ୍ରଦେଶ, ଛତିଶଗଡ଼ରୁ କିନ୍ନର ସଂଘର ସଦସ୍ୟମାନେ ଆସି ଏହି ଯାତ୍ରାରେ ସାମିଲ୍ ହୋଇଥିଲେ।
ଏହି ଯାତ୍ରାରେ ସାମିଲ ହୋଇଥିବା ଓଡ଼ିଶା ମାନବା ଅଧିକାର ସଭାପତି ସସ୍ମିତା ଦାସ କହିଛନ୍ତି, “ବିଶ୍ୱରେ ଶାନ୍ତି ଏବଂ ଲୋକମାନଙ୍କର ମଙ୍ଗଳ କାମନା ପାଇଁ ଏହା ଏକ ଅଭିନବ ପ୍ରୟାସ। ଆମେମାନେ କିନ୍ନରମାନଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରୁଛୁ।”
















