ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକ୍ ଆର୍ମି ମୁଖ୍ୟଙ୍କୁ ଆଲିଙ୍ଗନ କରିବା ନେଇ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି।

ପାକିସ୍ତାନ ଯାଇ ଫସିଯାଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜୋତ ସିଂହ ସିଦ୍ଧୁ। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେବା ପାଇଁ ପାକିସ୍ତାନ ଯାଇଥିଲେ ସିଦ୍ଧୁ ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଭାରତରେ ତାଙ୍କ ଗସ୍ତକୁ ବିରୋଧ କରାଯିବା ସହ ମଙ୍ଗଳବାରଦିନ ସିଦ୍ଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ଏନେଇ ସିଦ୍ଧୁ ପୁଣି ଥରେ ସଫେଇ ଦେଇ କହିଛନ୍ତି. “ନିଜର ବନ୍ଧୁ ଇମ୍ରାନ ଖାନ୍‌ଙ୍କ ବ୍ୟକ୍ତିଗତ ନିମନ୍ତ୍ରଣରେ ଯାଇଥିଲେ। ପାକିସ୍ତାନ ଯିବା ପାଇଁ ତାଙ୍କୁ ଭାରତ ସରକାର ଅନୁମତି ଦେଇଥିଲା। ଏଥିରେ ଖରାପ କଣ ରହିଲା ?”

ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ସେନାମୁଖ୍ୟ କମର ଜାଭେଦ ବାଜଓ୍ଵାଙ୍କୁ ଆଲିଙ୍ଗନ କରିଥିଷଲ ସିଦ୍ଧୁ ଯାହାକୁ ନେଇ ବିବାଦ ଦେଖାଯାଇଛି। ଦେଶର ବିଭିନ୍ନ ସହିଦ ପରିବାର ସିଦ୍ଧୁଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇଛନ୍ତି।

ଆଲିଙ୍ଗନ ପ୍ରସଙ୍ଗରେ ସେ କହିଛନ୍ତି, “ଜଣେ ଯଦି ଆପଣଙ୍କ ଆଡକୁ ବନ୍ଧୁତାର ହାତ ବଢାଇଲା ଆପଣ ପଛଘୁଞ୍ଚା ଦେବେ ? ମଣିଷର ସ୍ୱାଭାବିକ ଆଚରଣ ଅନୁସାରେ ଆପଣ ତାହାକୁ ସ୍ୱୀକାର କରିବେ। ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଦ୍ୱାରା ହିଁ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ମଧ୍ୟ ପାକିସ୍ତାନ ଗସ୍ତ କରିଥିଲେ”।

ସେନାମୁଖ୍ୟ ଜେନେରାଲ ବଜୱାଙ୍କୁ ଆଲିଙ୍ଗନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନାପସନ୍ଦ କରିଛନ୍ତି। ରବିବାର ଅମରିନ୍ଦର କହିଛନ୍ତି, “ଜେନେରାଲ ଜାଭେଦଙ୍କୁ ସିଧୁ ଆଲିଙ୍ଗନ କରିବା ଭୁଲ୍‍। ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଧୁ ଯୋଗଦେବାକୁ ନେଇ ତାଙ୍କ ସରକାରର କିଛି କହିବାର ନାହିଁ। ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି”। ସିଦ୍ଧୁ ଏବେ ଅମରିନ୍ଦରଙ୍କ ନେତୃତ୍ୱ ପଞ୍ଜାବ ସରକାରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଛନ୍ତି।

ସେପଟେ ସିଦ୍ଧୁଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ସେ କହିଛନ୍ତି, “ ସିଦ୍ଧୁ ଭାରତ-ପାକିସ୍ତାନ ସମ୍ପର୍କରେ ଦୃଢ଼ତା ଦେବାକୁ ଏଠାକୁ ଆସିଥିଲେ। ତାଙ୍କୁ ବିରୋଧ କରାଯିବ ଉଚିତ୍ ନୁହେଁ”।

ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁ ଯୋଗଦେବା ଓ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବାକୁ ବିଜେପି ବିରୋଧ କରିଛି। ପଞ୍ଜାବ ବିଜେପି ମୁଖ୍ୟ କହିଛନ୍ତି, “ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଅତ୍ୟନ୍ତ ଲଜ୍ଜାଜନକ। ପାକିସ୍ତାନ ସେନା ଭାରତର ଯବାନଙ୍କୁ ହତ୍ୟା କରୁଥିବାବେଳେ ସିଦ୍ଧୁ ଏହାର ମୁଖ୍ୟଙ୍କୁ ଆଲିଙ୍ଗନ କରିବା ଧନ୍ୟବାଦ ସଦୃଶ”।

Comment