ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର ୯୮ ଦିନ ପରେ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପ୍ଲେକ୍ସରେ ଖେଳାଯିବ ପୁରୁଷ ହକି ବିଶ୍ୱକପ ଚତୁର୍ଦ୍ଦଶତମ ସଂସ୍କରଣ।
- ହକି ବିଶ୍ୱକପ ପାଇଁ ୯୮ ଦିନ ବାକି
- ୧୮ ଦିନ ଧରି ଚାଲିବ ଏହି ପ୍ରତିଯୋଗିତା
- ଅଷ୍ଟ୍ରେଲିଆ ସହିତ ମୋଟ ୧୬ ଦେଶ ଭାଗନେବେ
- ମାତ୍ର ୨୦୦ ଏବଂ ୧୦୦ ଟଙ୍କାରେ ଟିକେଟ୍ ଉପଲବ୍ଧ
- ଷ୍ଟାଡ଼ିୟମରେ ୧୫ ହଜାର ସାଧାରଣ ଦର୍ଶକଙ୍କ ମ୍ୟାଚ ଦେଖି ପାରିବେ
- ମ୍ୟାଚ୍ ସମୟରେ ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ୭୦ରୁ ୮୦ ପ୍ଲାଟୁନ୍ ହେବ ପୋଲିସ ଫୋର୍ସ ମୁତୟନ
ଓଡ଼ିଶା ହକି ବିଶ୍ୱକପ୍କୁ ଆଉ ରହିଲା ୯୮ ଦିନ। ଏଥିପାଇଁ ପ୍ରସ୍ତୁତିପର୍ବକୁ ଜୋରଦାର କରାଯାଇଛି। ନଭେମ୍ବର ୨୮ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏହି ମେଗା ଇଭେଣ୍ଟ। ଏଥିପାଇଁ ଭୁବନେଶ୍ୱର ନୂଆ ରୂପରେ ସଜେଇ ହେଉଥିବାବେଳେ ପ୍ରତିଯୋଗିତାର ସଫଳ ଆୟୋଜନ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ୧୦୦ ଦିନିଆ ଅବଗଣନା ପର୍ବ ସୋମବାର ଓଡ଼ିଶାର କେତେକ ସ୍ଥାନଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ପନ୍ନ ହୋଇଛି। ଏସିଆଡ୍ରେ ସାମିଲ୍ ହୋଇ ଜାକର୍ତା ଏବଂ ପାଲେମବାଙ୍ଗ୍ରେ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ମଧ୍ୟ ଏହି ପ୍ରତୀକାତ୍ମକ ଅବଗଣନା ପର୍ବରେ ସାମିଲ ହାଇଛନ୍ତି। ବିଶ୍ୱର ବିଭିନ୍ନ କ୍ରୀଡ଼ା ବ୍ୟକ୍ତିତ୍ଵମାନେ ପ୍ଲାକାର୍ଡ ଜରିଆରେ ‘ଭାରତ ଆସନ୍ତୁ, ନଭେମ୍ବରରେ ଦେଖା, ଭୁବନେଶ୍ୱର ଚଲୋ’ ସଚେତନତା ଜାରି କରିଥିଲେ।
ବିଶ୍ୱକପ୍କୁ ନେଇ ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାର ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ଦର୍ଶକଙ୍କୁ ଭୁବନେଶ୍ୱରରୁ ଶ୍ରେଷ୍ଠ ସ୍ମୃତି ନେଇ ଫେରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।
୧୮ ଦିନିଆ ଏହି ପ୍ରତିଯୋଗିତାରେ ବିଶ୍ୱର ଏକ ନମ୍ବର ଦଳ ତଥା ଗତ ଥରର ବିଜେତା ଅଷ୍ଟ୍ରେଲିଆ ସହିତ ମୋଟ ୧୬ ଦେଶ ଭାଗନେବେ। ମୋଟ ୩୬ ମ୍ୟାଚ୍ ଦେଖିବେ ଦର୍ଶକ। ମ୍ୟାଚ୍ ଗୁଡ଼ିକ ପାଇଁ ମଧ୍ୟ ମାତ୍ର ୨୦୦ ଏବଂ ୧୦୦ ଟଙ୍କାରେ ଟିକେଟ୍ ଉପଲବ୍ଧ ହେଉଛି।
“ହକି ବିଶ୍ୱକପ୍କୁ ଆଉ ମାତ୍ର ୯୮ ଦିନ ଥିବାରୁ ଏଥି ପାଇଁ ଆସୁଥିବା ପ୍ରତି ବ୍ୟକ୍ତି ନିଶ୍ଚିତ ଚମତ୍କାର ଅନୁଭବ ନେଇ ଫେରିବେ ଏବଂ ହକି ଦେଶରେ ନୂଆ ସ୍ତରକୁ ଯିବ”, କହିଛନ୍ତି ହକି ଇଣ୍ଡିଆ ମହାସଚିବ ମହମ୍ମଦ ମୁସ୍ତାକ୍।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ କହିଛନ୍ତି, “ସୌନ୍ଦର୍ଯ୍ୟମୟ ଭୁବନେଶ୍ୱର ସହରରେ ହକି ଇତିହାସର ସବୁଠୁ ବଡ଼ ପ୍ରତିଯୋଗିତା ଆୟୋଜିତ ହୋଇଛି। ଦେଶରେ ହକିର ବିକାଶ ପାଇଁ ଏହି ବିଶ୍ୱକପ ଆୟୋଜନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଏହାକୁ ସଫଳ କରାଇବା ଲାଗି ସମସ୍ତେ ଦିନରାତି ଖଟୁଛନ୍ତି। ଆମେ ନିଶ୍ଚିତ ଯେ ବଡ଼ ସଫଳତା ମିଳିବ”
ହକି ବିଶ୍ୱକପ ପୂର୍ବରୁ ଏସିଆନ ଗେମ୍ସରେ ଭାଗନେଇଥିବା ଭାରତୀୟ ପୁରୁଷ ହକି ଦଳ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ଏସିଆନ ଗେମ୍ସରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳ ଘରୋଇ ପରିବେଶରେ ବିଶ୍ୱକପ ପାଇଁ ମୋମେଣ୍ଟମ୍ ହାସଲ କରିବ ବୋଲି ଆଶା କରାଯାଉଛି। ”
ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରିବା ନେଇ ମଙ୍ଗଳବାର ସଚିବାଳୟଠାରେ ଦ୍ୱିତୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସୁରକ୍ଷା ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ମ୍ୟାଚ୍ ସମୟରେ ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ୭୦ରୁ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି।
With just #100DaysForWorldCup, preparations have hit fever pitch and Odisha is excited! Here comes the invitation to the event from our finest ??#Odisha2018 #HWC2018 pic.twitter.com/QzmZh2lsQp
— Sports & Youth Dept. (@sports_odisha) August 20, 2018
ବିଭିନ୍ନ ଦଳର ଖେଳାଳି ବିମାନ ବନ୍ଦରରେ ପହଞ୍ଚିବା, ହୋଟେଲରେ ରହଣୀ, ଷ୍ଟାଡ଼ିୟମକୁ ଅଭ୍ୟାସ ଓ ମ୍ୟାଚ୍ ଖେଳିବା ଲାଗି ଯାତାୟତ ସମୟରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ନେଇ ନିଷ୍ପତ୍ତି ହୋଇଛି। ପ୍ରତି ଦଳକୁ ପିଏସ୍ଓ ଓ ପେଟ୍ରୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯିବ।
ପୂରା ଷ୍ଟାଡ଼ିୟମକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ବିଶେଷ କରି କଳିଙ୍ଗ ଷ୍ଟାଡ଼ିୟମର ପ୍ରବେଶ ଓ ପ୍ରସ୍ଥାନ ପଥ, ପାର୍କିଂ, ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଫ୍ୟାନ ଜୋନ, ଫନ ବକ୍ସ, ହୋଟେଲରେ ସୁରକ୍ଷା ବ୍ୟବସ୍ଥା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି।
ମ୍ୟାଚ୍ ଦିନ ପଡ଼ିଆ ନିକଟରେ କ୍ୟୁଏଟି ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ସେହିପରି ପ୍ରତିଯୋଗିତାକୁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରଚାର କରିବା ନେଇ କ୍ରୀଡ଼ା ବିଭାଗ ପକ୍ଷରୁ ୧୭ଟି ଜିଲ୍ଲାରେ ପ୍ରଚାର କରାଯିବାକୁ ନିଷ୍ପତ୍ତି ହୋଇଛି।
ଜିଲ୍ଲା ଗୁଡ଼ିକରେ ପ୍ରଚାର ଗାଡ଼ି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯିବ। ଷ୍ଟାଡ଼ିୟମରେ ୧୫ ହଜାର ସାଧାରଣ ଦର୍ଶକଙ୍କ ମ୍ୟାଚ ଦେଖିବା ଲାଗି ସୁବିଧା ଉପଲବ୍ଧ ହୋଇଛି। ଏହି ବୈଠକରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, କମିଶନର ସତ୍ୟଜିତ ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।














