ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱରରୁ ପୁରୀ ଯାଏଁ ବିରାଟ ଶୋଭାଯାତ୍ରା
  • ଶୋଭାଯାତ୍ରାରେ ସାମିଲ୍ ହେଲେ ବିଜେପିର ବରିଷ୍ଠ ନେତା
  • ସମୁଦ୍ରକୂଳରେ ପୂଜାର୍ଚ୍ଚନା
  • ବାଜପେୟୀଙ୍କ ଚିତାଭସ୍ମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ଲୋକ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଆଜି ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଚିତାଭସ୍ମ ବିସର୍ଜନ କରିଛନ୍ତି।

ଆଜି ସକାଳ ୯ଟାରୁ ବିଜେପି ପାର୍ଟି ଅଫିସ୍‌ରୁ ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏକ ସୁସଜ୍ଜିତ ଗାଡ଼ିରେ ଚିତାଭସ୍ମକୁ ରଖାଯାଇ ଶୋଭାଯାତ୍ରା ପୁରୀ ନିଆଯାଇଥିଲା। ବିଜେପିର ବହୁ ବରିଷ୍ଠ ନେତା ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ପୁରୀ ଯିବା ବାଟରେ ବିଭିନ୍ନ ଛକରେ ବାଜପେୟୀଙ୍କ ଚିତାଭସ୍ମକୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଗୁରୁବାର ଅପରାହ୍‌ଣରେ ଚିତାଭସ୍ମ ପୁରୀରେ ପହଞ୍ଚିଥିଲା। ପୁରୀ ସହର ଦେଇ ସମୁଦ୍ରକୂଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମହୋଦଧିରେ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା। ଶହ ଶହ ଲୋକ ବାଜପେୟୀଙ୍କ ଚିତାଭସ୍ମରେ ଶ୍ରଦ୍ଧାଞ୍ଜଳି ଦେବାକୁ ଏକତ୍ରିତ ହୋଇଥିଲେ। ବାଜପେୟୀ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମୁଦ୍ରକୂଳ।

୨୪ରେ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ବିଜେପି ପକ୍ଷରୁ ଆୟୋଜନ କରାଯାଉଛି। ଓଡ଼ିଶାର ବିଭିନ୍ନ ଦଳର ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସଭାରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି।

ଓଡ଼ିଶାର ୭ଟି ପ୍ରମୁଖ ନଦୀରେ ଚିତାଭସ୍ମ ବିସର୍ଜନ କରାଯିବ। ଏଥିପାଇଁ ବିଜେପି ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ଜିଲ୍ଲାସ୍ତରୀୟ ଏବଂ ବୁଥ୍‌ ସ୍ତରରେ ଶ୍ରଦ୍ଧାଞ୍ଜଳି ସଭା କରିବାକୁ ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଛି।

Comment