ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷୀଆନ ଅଭିନେତା ଦେବୁ ବୋଷଙ୍କ ସ୍ମୃତିରେ…

ଦେବୁ ବୋଷ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଜଗତର ଜଣେ ଲୋକପ୍ରିୟ ଅଭିନେତା। ଦେବୁଙ୍କ ପ୍ରକୃତ ନାମ ହେଉଛି ରବୀନ୍ଦ୍ର ନାଥ ବୋଷ। ସେ  ‘ମନ ଆକାଶଚଳଚ୍ଚିତ୍ରରେ ଏକ ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇ ପ୍ରଥମେ ଓଡ଼ିଆ ସିନେଜଗତ ସହିତ ସମ୍ପୃକ୍ତ ହୋଇଥିଲେ।

ଦେବୁ ବୋଷ ଯୁବାବସ୍ଥାରୁ ରଙ୍ଗମଞ୍ଚ ସହିତ ଜଡ଼ିତ ଥିଲେ। ତାଙ୍କୁ ଅଭିନେତା ଭାବେ ଚଳଚ୍ଚିତ୍ରରେ ବ୍ରେକ୍ ଦେଇଥିଲେ ନିର୍ଦ୍ଦେଶକ ନଗେନ ରାୟ। ନଗେନ୍ ବାବୁ ତାଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ‘ତପସ୍ୟା’ରେ ଦେବୁ ବୋଷଙ୍କୁ ଡ୍ରାଇଭର ଭୂମିକାରେ ପ୍ରଥମେ ସୁଯୋଗ ଦେଇଥିଲେ। ଏହି ଚରିତ୍ରଟି ଥିଲା ନେଗେଟିଭ୍। ‘ତପସ୍ୟା’ରେ ତାଙ୍କ ଭୂମିକାଟି ଅବଶ୍ୟ ଗୌଣ ଥିଲା। ହେଲେ ସେହି ଭୂମିକାରେ ଅଭିନୟ ମଧ୍ୟ ପ୍ରଯୋଜକ, ନିର୍ଦ୍ଦେଶକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଦେବୁ ବୋଷ।

ଦେବୁ ବୋଷ ପ୍ରକୃତରେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ସୁପରହିଟ୍ ସିନେମା ‘ଫୁଲଚନ୍ଦନ’ରୁ ଦର୍ଶକଙ୍କ ନିକଟତର ହୋଇଥିଲେ। ଏଥିରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିର ଭୂମିକା ନିଭାଇଥିଲେ ସେ। ଏହାପରେ ତାଙ୍କୁ ଅଧିକାଂଶ ସିନେମାରେ ସେହି ଧରଣର ଚରିତ୍ରରେ ଦେଖିବାକୁ ମିଳିଥିଲା।

ଦେବୁ ବୋଷଙ୍କ ସ୍ମରଣୀୟ ସିନେମା ମଧ୍ୟରେ ରହିଛି ‘ଫୁଲଚନ୍ଦନ’, ‘ଦଣ୍ଡାବାଳୁଙ୍ଗା’, ‘ଜନନୀ’, ‘ସହରୀବାଘ’, ‘ଚକାଭଉଁରୀ’, ‘ପୁଅ ମୋର କଳାଠାକୁର’, ‘ମାନିନୀ’, ‘ସୁନା ଚଢ଼େଇ’, ‘ପୁଅ ମୋର ଭୋଳାଶଙ୍କର’, ‘ସୁନା ହରିଣୀ’, ‘ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର’, ‘ସୁହାଗ ସିନ୍ଦୂର’, ‘ଗଙ୍ଗା ଯମୁନା’, ‘ଯେ ପାଞ୍ଚେ ପରରମନ୍ଦ’, ‘ଏଇତ ଦୁନିଆ’, ‘ଗଙ୍ଗଶିଉଳି’, ‘ଗଙ୍ଗାଯମୁନା’, ‘ବିଧିର ବିଧାନ’, ‘ଲକ୍ଷ୍ମଣରେଖା’, ‘ସୁନା ସଂସାର’, ‘ପରଦେଶୀ ବାବୁ’, ‘କାଶିଆ କପିଳା’, ‘କ୍ରିଷ୍ଣା ଗୋବିନ୍ଦା’ ଆଦି।

ଦେବୁ ବୋଷ ଅଧିକାଂଶ ଓଡ଼ିଆ ଛବିରେ ପଜିଟିଭ୍ ରୋଲ୍ କରିଛନ୍ତି, ହେଲେ ଅଧିକାଂଶ ଜାଣନ୍ତି କି ସେ ତିନିଟି ସିନେମାରେ ନେଗେଟିଭ୍ ରୋଲ୍ ବି କରିଛନ୍ତି। ସେ ପ୍ରଥମେ ୧୯୮୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ତପସ୍ୟା’ରେ ନକରାତ୍ମକ ଭୂମିକା ନିଭାଇଥିଲେ। ତା’ପରେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ତଥା ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ‘ଏଇ ତ ଦୁନିଆ’ ୧୯୮୭ରେ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିଥିଲେ। ଠିକ୍ ସେହିପରି ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା (ଚଣ୍ଡୀଙ୍କ) ନିର୍ଦ୍ଦେଶିତ ‘ଯେ ପାଞ୍ଚେ ପରମନ୍ଦ’ ସିନେମାରେ ବି ନେଗେଟିଭ୍ ରୋଲରେ ଅଭିନୟ କରିଥିଲେ ଦେବୁବୋଷ।

ଦେବୁବୋଷ ଓଡ଼ିଆ ସିନେ କଳାକାର ସଂଘର ସଭାପତି ଭାବେ ବେଶ୍ କିଛିବର୍ଷ ଧରି ଦାୟିତ୍ୱ ନିର୍ବାହ କରିଛନ୍ତି।

ଦେବୁ ବୋଷ ତାଙ୍କ ଅଭିନୟ ଜୀବନରେ ଏଯାବତ୍ ଜଣେ ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି। ସେ ହେଲେ ପ୍ରଶାନ୍ତ ନନ୍ଦ। ପ୍ରଶାନ୍ତ ନନ୍ଦ ଅନେକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ହେଁ କୌଣସିଟିରେ ଦେବୁ ବୋଷଙ୍କୁ ନେଇ ନାହାନ୍ତି।

ଦେବୁ ବୋଷ ପ୍ରଖ୍ୟାତ ନିର୍ଦ୍ଦେଶକ ନଗେନ ରାୟ, ଶିଶିର ମିଶ୍ର, ମହମ୍ମଦ ମହସୀନ, ରବି କିନ୍ନାଗୀ, ହର ପଟ୍ଟନାୟକ, ରାଜୁ ମିଶ୍ର, ହିମାଂଶୁ ପରିଜା, ସଞ୍ଜୟ ନାୟକ, ସଂଗ୍ରାମ ବିଶ୍ୱାଳ ଓ ଜିତେନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହ କାମ କରିଛନ୍ତି। ତାଙ୍କୁ ଓଲିଉଡରେ ସମସ୍ତେ ଦେବୁ ଦା’ ଭାବେ ସମ୍ବୋଧନ କରିଥା’ନ୍ତି।

LEAVE A REPLY

Please enter your comment!
Please enter your name here