ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ଆଜି ଦିଲ୍ଲୀ ଏସ୍‌କର୍ଟ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ନିମୋନିଆ ଜ୍ୱରରେ ଆକ୍ରାନ୍ତ ହୋଇ ୫ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ।

୧୯୨୩ ଅଗଷ୍ଟ ୧୪ ତାରିଖରେ ପଞ୍ଜାବର ସିଆଲ୍‌କୋଟ୍‌ରେ ସେ ଜନ୍ମ ହୋଇଥିଲେ। ସେ ଲାହୋରର ଫୋରମାନ୍ ଖ୍ରୀଷ୍ଟିଆନ କଲେଜରୁ ସ୍ନାତକ ପାସ୍ କରିଥିଲେ। ୧୯୯୦ରେ ସେ ଗ୍ରେଟ ବ୍ରିଟେନର ହାଇ କମିଶନର ଭାବେ ନିଯୁକ୍ତି ପାଇଥିଲେ। ୧୯୯୭ରେ ସେ ରାଜ୍ୟସଭାକୁ ମନୋନିତ ହୋଇଥିଲେ।

କୁଲ୍‌ଦୀପ ନାୟାର କ୍ୟାରିୟର ଆରମ୍ଭରୁ ଏକ ଉର୍ଦ୍ଦୁ ଖବରକାଗଜର ସମ୍ପାଦକ ଥିଲେ। ପରେ ସେ ଇହରାଜୀ ଦୈନିକ ‘ଦ ଷ୍ଟେଟ୍‌ସ ମ୍ୟାନ’ର ସମ୍ପାଦକ ଥିଲେ। ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ବେଳେ ଶ୍ରୀ ନାୟାର ଗିରଫ ହୋଇଥିଲେ।

୮୦ରୁ ଅଧିକ ଖବରକାଗଜରେ ୧୪ଟି ଭାଷାରେ ତାଙ୍କର ସ୍ତମ୍ଭ ପ୍ରକାଶ ପାଉଥିଲା।

କୁଲ୍‌ଦୀପ ନାୟାର ୧୫ଟି ପୁସ୍ତକ ଲେଖିଛନ୍ତି। ସେ ଲେଖିଥିବା ପୁସ୍ତକ ମଧ୍ୟରେ ରହିଛି – ବିୟଣ୍ଡ ଦ ଲାଇନ୍‌ସ, ଡିଷ୍ଟାଣ୍ଟ ନେବର୍‌ସ୍: ଏ ଟେଲ୍ ଅଫ୍ ଦି ସବ୍‌କଣ୍ଟିନେଣ୍ଟ, ଇଣ୍ଡିଆ ଆଫ୍ଟର ନେହେରୁ, ୱାଲ ଆଟ୍‌ ୱାଘା, ଇଣ୍ଡିଆ-ପାକିସ୍ତାନ ରେଲେସନ୍‌ସିପ୍, ଦି ଜଜ୍‌ମେଣ୍ଟ।

‘ବିୟଣ୍ଡ ଦ ଲାଇନ୍ସ’ ପୁସ୍ତକରେ କୁଲଦୀପ ନାୟାର ତାଙ୍କ ଆତ୍ମଜୀବନୀ ଲେଖିଛନ୍ତି। ଏହାକୁ ଓଡ଼ିଆରେ କଥାକାର ଗୌରହରି ଦାସ ଏବଂ ମହେନ୍ଦ୍ର ପ୍ରସାଦ ଓଡ଼ିଆରେ ଅନୁବାଦ କରିଛନ୍ତି। ଓଡ଼ିଆରେ ଅନୁବାଦ ହୋଇଥିବା ବହିଟିର ନାଁ ହେଉଛି – ଗୋଟିଏ ଜୀବନ ଯଥେଷ୍ଟ ନୁହେଁ।

ନାୟାରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, “କୁଲ୍‌ଦୀପ ନାୟାର ଆମ ସମୟର ଜଣେ ବୁଦ୍ଧିଜୀବୀ ଥିଲେ। ସେ ନିର୍ଭିକତାର ସହ ତାଙ୍କର ମତ ଉପସ୍ଥାପିତ କରୁଥିଲେ। ଦୀର୍ଘ ଦଶନ୍ଧି ଧରି ସାମ୍ବାଦିକତା କରି ଆସିଥିବା ଶ୍ରୀ ନାୟାର ଚିରସ୍ମରଣୀୟ ହୋଇ ରହିବେ।”

Comment