ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ବିଜେପିକୁ କରିଛନ୍ତି ସମାଲୋଚନା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ‘ଚିତାଭସ୍ମ’ ଶୋଭାଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା। ୨୦୧୯ ଲୋକସଭା ନିର୍ବାଚନରେ ଭୋଟ ପାଇବା ପାଇଁ ବିଜେପି ବାଜପେୟୀଙ୍କ ଚିତାଭସ୍ମକୁ ନେଇ ରାଜନୀତି କରୁଥିବା ସେ କହିଛନ୍ତି।

“ବାଜପେୟୀ କେବଳ ବିଜେପିର ନଥିଲେ। ସେ ରାଜନୀତିରୁ ବହୁ ଊର୍ଦ୍ଧ୍ୱରେ ଥିଲେ। ହେଲେ ତାଙ୍କ ଦେହାନ୍ତ ପରେ ଚିତାଭସ୍ମକୁ ନେଇ ସାରା ଦେଶରେ ବିଜେପି ରାଜନୀତି କରୁଛି। ଏହା ମତେ ଦୁଃଖ ଦେଇଛି”, କହିଛନ୍ତି କରୁଣା ଶୁକ୍ଲା।

କରୁଣା ଶୁକ୍ଲା ବିଜେପିରେ ଥିଲେ। ଛତିଶଗଡ଼ର ଜଞ୍ଜଗିରି-ଚମ୍ପା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୩ରେ ସେ ବିଜେପି ଛାଡ଼ିଥିଲେ। ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ।

କରୁଣା ଶୁକ୍ଲା କହିଛନ୍ତି ଯେ ବାଜପେୟୀଙ୍କଠାରୁ ବିଜେପି କିଛି ଶିଖି ପାରିଲା ନାହିଁ। ୨୦୧୯ରେ ଲୋକସଭା ଏବଂ ୨୦୧୮ ଶେଷ ଭାଗରେ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଭୋଟ ପାଇଁ ବିଜେପି ବାଜପେୟୀଙ୍କୁ ନେଇ ରାଜନୀତି କରୁଛି।

ଛତିଶଗଡ଼ ବିଜେପିକୁ ମଧ୍ୟ ଛାଡ଼ି ନାହାନ୍ତି କରୁଣା। ଛତିଶଗଡ଼ର ଅନେକ ପ୍ରକଳ୍ପ ବାଜପେୟୀଙ୍କ ନାଁରେ ନାମିତ କରିବାକୁ ରମଣ ସିଂ ଘୋଷଣା କରିଥିବାରୁ ଏହାକୁ ସମାଲୋଚନା କରିଛନ୍ତି ବାଜପେୟୀଙ୍କ ଝିଆରୀ। ୯ ବର୍ଷ ହେଲା ବିଜେପି ବାଜପେୟୀଙ୍କୁ ଭୁଲି ଯାଇଥିଲା। ତାଙ୍କ ଦେହାନ୍ତ ପରେ ଏବେ ତାଙ୍କୁ ବିଜେପି ମନେପକାଇବା ଦୁର୍ଭାଗ୍ୟଜନକ।

“ବିଜେପି କ’ଣ କରୁଛି ଲୋକମାନେ ଜାଣିଲେଣି। ଆଗାମୀ ନିର୍ବାଚନରେ ବିଜେପି ଉଚିତ ଜବାବ ଦେବେ ଭୋଟର”, କହିଛନ୍ତି ବାଜପେୟୀଙ୍କ ଝିଆରୀ ଶୁକ୍ଲା।

Comment