ଓଡ଼ିଶାଲାଇଭ୍ ବ୍ୟୁରୋ

- ଉଦଘାଟନ ପରେ ଅଘଟଣ
- ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
- ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ ବିରୋଧୀ
- ମୁଖ୍ୟମନ୍ତ୍ରୀ ପ୍ରକାଶ କଲେ ଦୁଃଖ
- ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ
ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପୁଲ୍ ରୋଡ୍ ଓଭରବ୍ରିଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ୬୫୩ ମିଟର ବ୍ରିଜ ନିର୍ମାଣ ପାଇଁ ୩୨.୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୧୨ରୁ ଏହି ଓଭରବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ନିର୍ମାଣ କାମ ଶେଷ ହୋଇଥିଲା। ଆଜି ଏହାକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।
ଲୋକାର୍ପଣ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବମିଖାଲ ଓଭରବ୍ରିଜ କାମ ନେଇଥିବା ପଣ୍ଡା ଇନଫ୍ରା କମ୍ପାନି ଏହି ଓଭରବ୍ରିଜର ନିର୍ମାଣ କାମ ନେଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦଘାନ କରିବାର କିଛି ସମୟ ପରେ ଏହି ଓଭରବ୍ରିଜରେ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।
ଲୋକାର୍ପଣ ପାଇଁ ଓଭରବ୍ରିଜକୁ ଲିଚୁ ଲାଇଟରେ ସଜା ଯାଇଥିଲା। ଲୋକାର୍ପଣ ପରେ ସ୍ଥାନୀୟ ଯୁବକମାନେ ଓଭରବ୍ରିଜରେ ଚଢ଼ି ସେଲ୍ଫି ନେଇଥିଲେ। ସେଲ୍ଫି ନେବା ବେଳେ ସିମାଞ୍ଚଳ ପଣ୍ଡା ନାମକ ଜଣେ ଯୁବକ ଲିଚୁ ଲାଇଟ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଯାଇଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପ୍ରଚାର ହେବା ପରେ କ୍ୟାପିଟାଲରେ ନେତାଙ୍କ ଭିଡ଼ ଲାଗିଥିଲା। ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ଦାବି କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।














