ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ ପ୍ରଶାସକ କମିଟି ଶୁକ୍ରବାର ଭାରତର ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତିଙ୍କୁ ଜୁନିଅର ଚୟନକାରୀ କମିଟିରେ ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି।

ଓଡ଼ିଶାର ପ୍ରଥମ ସିନିୟର ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଜାତୀୟ ଜୁନିୟର ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି।  ଶୁକ୍ରବାର ବିସିସିଆଇ ପ୍ରଶାସକ କମିଟି (ସିଓଏ) ଦେବାଶିଷଙ୍କୁ ଜାତୀୟ ଜୁନିୟର ମନୋନୟନ କମିଟିର ସଦସ୍ୟ ନିଯୁକ୍ତ କରିଛି।

ଗତ ମାର୍ଚ୍ଚରେ ଏହି କମିଟିରୁ ଇସ୍ତଫା ଦେଇଥିବା ଅଧ୍ୟକ୍ଷ ଭେଙ୍କଟେଶ ପ୍ରସାଦଙ୍କ ସ୍ଥାନ ନେଇଛନ୍ତି ଦେବାଶିଷ। ପୂର୍ବରୁ ଜାତୀୟ ମନୋନୟନ କମିଟି ୫ ଜଣିଆ ଥିଲା। ତେବେ ଗତ ଲୋଧା କମିଟି ସୁପାରିସ ଅନୁସାରେ ଜାତୀୟ ସିନିୟର ଓ ଜୁନିୟର ମନୋନୟନ କମିଟି ୩ ଜଣିଆ ହୋଇଥିଲା।

ନିକଟରେ ସୁପ୍ରିମକୋର୍ଟ ଉଭୟ ମନୋନୟନ କମିଟିରେ ୫ ଜଣ ସଦସ୍ୟ ରହିବାକୁ ସବୁଜ ସଙ୍କେତ ଦେଇଛନ୍ତି। ତେଣୁ ଜାତୀୟ ଜୁନିୟର ମନୋନୟନ କମିଟିକୁ ୫ ଜଣିଆ କରିବା ଲାଗି ପ୍ରସାଦଙ୍କ ସ୍ଥାନରେ ୫ମ ମନୋନୟନକାରୀ ଭାବେ ଦେବାଶିଷଙ୍କୁ ନିଯୁକ୍ତି ଦିଆଯାଇଛି।
ମନୋନୟନ କମିଟିର ସଦସ୍ୟ ନିଯୁକ୍ତି ପାଇଁ ସିଓଏ ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟି (ସିଏସି)କୁ ଇ-ମେଲ ପଠାଇଥିଲା। ତେବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‍ ଲକ୍ଷ୍ମଣଙ୍କୁ ନେଇ ଗଠିତ ସିଏସିଙ୍କ ସହ ସିଓଏର ଯୋଗାଯୋଗ ହୋଇ ନପାରିବାରୁ ସିଓଏ ପ୍ରସାଦଙ୍କ ସ୍ଥାନରେ ଦେବାଶିଷଙ୍କୁ ଜୁନିୟର ମନୋନୟନକାରୀ ନିଯୁକ୍ତ କରିଛି।

ସେପ୍ଟେମ୍ବର ୯ରୁ କଲକାତାରେ ହେବାକୁ ଥିବା ଚତୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଓ ୟୁବ ଏସୀୟ କପ୍‍ ପାଇଁ ଭାରତୀୟ ୧୯ ବର୍ଷରୁ କମ୍‍ ଦଳ ମନୋନୟନ ହେବାର ଥିବାରୁ କମିଟିକୁ ୫ ଜଣିଆ କରାଯାଇଛି। ଏହି କମିଟିରେ ଥିବା ଅନ୍ୟ ୪ ମନୋନୟନକାରୀ ହେଲେ ଆଶିଷ କପୁର, ରାକେଶ ପାରିଖ, ଜ୍ଞାନେନ୍ଦ୍ର ପାଣ୍ଡେ ଓ ଅମିତ ଶର୍ମା।

ଓଡ଼ିଆ କ୍ରିକେଟ୍‍ର ଦେବାଶିଷ ମହାନ୍ତି ଭାରତ ପକ୍ଷରୁ ୨ଟି ଟେଷ୍ଟ, ୪୫ଟି ଦିନିକିଆ ଓ ୧୧୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‍ ଖେଳିଥିଲେ। ୧୯୯୭ ଅଗଷ୍ଟ ୯ରେ ଶ୍ରୀଲଙ୍କା ବିପକ୍ଷରେ ଦେବାଶିଷ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍‍ ଖେଳିଥିଲେ। ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‍ ସେ ଶ୍ରୀଲଙ୍କା ବିପକ୍ଷରେ ନଭେମ୍ବର ୧୯ରୁ ୨୩ ପର୍ଯ୍ୟନ୍ତ ଖେଳିଥିଲେ। ଟେଷ୍ଟ କ୍ୟାରିୟରରେ ସେ ୪ଟି ୱିକେଟ୍‍ ହାସଲ କରିଥିଲେ।
ଅନ୍ୟପକ୍ଷରେ ସେ ଭାରତ ପକ୍ଷରୁ ୪୫ଟି ଦିନିକିଆ ମ୍ୟାଚ୍‍ ଖେଳି ୫୭ଟି ୱିକେଟ୍‍ ହାସଲ କରିଥିଲେ।

ପାକିସ୍ତାନ ବିପକ୍ଷରେ ୧୯୯୭ ସେପ୍ଟେମ୍ବର ୧୩ରେ ସେ ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳିଥିଲେ। ୨୦୦୧ ଜୁଲାଇ ୨୨ରେ ଶ୍ରୀଲଙ୍କା ବିରୋଧରେ ଦେବାଶିଷ ଅନ୍ତିମ ଦିନିକିଆ ମ୍ୟାଚ୍‍ ଖେଳିଥିଲେ। ୧୯୯୬-୯୭ ସିଜିନ୍‍ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‍ରେ କ୍ୟାରିୟର ଆରମ୍ଭ କରିଥିଲେ।

ସେ ୮ଟି ଘରୋଇ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳି ୯ଟି ୱିକେଟ୍‍ ଅକ୍ତିଆର କରିଥିଲେ। ସେହିପରି ଦେବାଶିଷ ଟେଷ୍ଟ ମ୍ୟାଚରେ ୭୮ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇ ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି।

Comment