ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ମଧ୍ୟରୁ ଜଣେ ଆସାମୀ ଚମ୍ପଟ ମାରିବା ପରେ ତାଙ୍କ ଝୁଲନ୍ତା ମୃତ ଦେହ ମିଳିବା ଘଟଣାରେ ମହାକାଳପଡା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ।
ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ଲାଗିଲା ନରହତ୍ୟା ମାମଲା। ହତ୍ୟା ଅଭିଯୁକ୍ତ ମହାକାଳପଡା ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ମୃତକ ପରିବାରଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା ସହାୟତା ଘୋଷଣା ଓ ବିଧବା ପତ୍ନିଙ୍କୁ ଗୃହରକ୍ଷୀ ଚାକିରି ପ୍ରତିଶୃତି ଦେଲେ ଜିଲ୍ଲା ପୋଲିସ ଅଧିକାରୀ।
କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ମଧ୍ୟରୁ ଜଣେ ଚୋରି ଆସାମୀ ଚମ୍ପଟ ମାରିବା ପରେ ତାଙ୍କ ଝୁଲନ୍ତା ମୃତ ଦେହ ମିଳିବା ଘଟଣାରେ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ।
ଶ୍ୟାମଘନଙ୍କ ନିଜ ଥାନାରେ ରୁଜୁ ହୋଇଛି ଏହି ମାମଲା। ହତ୍ୟା ମାମଲା ଋଜୁ ହେବାପରେ କେନ୍ଦ୍ରାପଡା ଏସପିଙ୍କଠାରୁ ଏ ସମ୍ପର୍କରେ ଖବର ପାଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ଆର ପି ଶର୍ମା ଶ୍ୟାମଘନଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।
ମହାକାଳପଡା ଥାନା ଅନ୍ତର୍ଗତ ଚଡେଇଗୁଆଁ ଗାଁରେ ରହୁଥିବା ଅଙ୍ଗନବାଡି କର୍ମଚାରୀ ଶାନ୍ତିଲତାଙ୍କ ଘରୁ ଗୁଇଟି କାନ ଫୁଲ, ଦୁଇଟି ସୁନା ଚେନ ଓ ଦୁଇଟି ମୋବାଇଲ ଚୋରି ହୋଇଥିଲା।
ଏପ୍ରିଲ ୨୮ ତାରିଖରେ ଶାନ୍ତିଲତା ମହାକାଳପଡା ଥାନାରେ ଏକ ମାମଲା ରୁଜୁ କରିଥିଲେ। ମାର୍ଶାଘାଇ ଥାନା ବାଲଣା ଗାଁର ମୁଷା ଓରଫ ଅବିନାଶ ପାଇଟାଳ ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଥିଲା।
ମହାକାଳପଡା ଥାନା ପୋଲିସ୍ କେନାଲ ବ୍ରିଜ ନିକଟରୁ ଅବିନାଶଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଥିଲା ପୋଲିସ।
ଶନିବାର ଦିନ ଅବିନାଶ ଶୌଚ ହେବାକୁ କହି ଥାନାରୁ ଚମ୍ପଟ ମାରିଥିଲା। ହେଲେ ରବିବାର ସକାଳୁ ଅବିନାଶଙ୍କର ମୃତଦେହ ସ୍ଥାନୀୟ ମହାକାଳପଡା ଗାଁର ହଳଧର ମଳିକଙ୍କ ଶିଡିଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଏକ ମିଛ ଚୋରି ଅଭିଯୋଗରେ ଅବିନାଶଙ୍କୁ ପୋଲିସ ଗତକାଲି ନିସ୍ତୁକ ମାଡ ମାରି ହତ୍ୟାକରି ଗାଁର ଏକ କୋଠା ଘର ମଧ୍ୟରେ ଝୁଲାଇ ଦେଇଥିବା ଅଭିଯୋଗ କରିଥିଲେ ଗାଁ ଲୋକେ।
ଏହାର ପ୍ରତିବାଦ କରି ଅବିନାଶଙ୍କର ମୃତ ଶରୀର ରଖି ଗାଁ ଲୋକେ ଜମ୍ବୁ ମାର୍ଶାଘାଇ ରାସ୍ତାକୁ ବାଲଣା ଛକ ନିକଟରେ ଅବରୋଧ କରି ହତ୍ୟାକାରୀ ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ମୃତକ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୁରଣ ଦାବି କରିଥିଲେ।
ରାସ୍ତା ଅବରୋଧ କରାଯିବା ଫଳରେ ମହାକାଳପଡା କେନ୍ଦ୍ରାପଡା ଯୋଗାଯୋଗ ଠପ୍ ହୋଇଯାଇଥିଲା। ପରିସ୍ଥିତି ଅଧିକ ଜଟିଳ ହେବାରୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲାର ବିଭିନ୍ନ ଥାନାରୁ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ଏସପିଙ୍କୁ ଅବଗତ କରାଇଥିଲେ।
ଜିଲା ଏସପି ନିତିଶେଖର ଘଟଣା ସମ୍ପର୍କରେ ଅବଗତ ହେବାପରେ ସମସ୍ତ ବିବରଣୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ଆର ପି ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାର ଗୁରୁତ୍ବ ଅନୁଭବ କରି ପୋଲିସ ମହାନିର୍ଦ୍ଦେଶକ ମହାକାଳପଡା ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ ଆଦେଶ ଦେଇଛନ୍ତି।
ଅବିନାଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି। ଅବିନାଶ ପେଶାରେ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବରେ ଯାହା ରୋଜଗାର କରୁଥିଲା ତାଙ୍କର ପରିବାର ଚଳୁଥିଲା। ଅବିନାଶଙ୍କ ମୃତ୍ୟୁ ତାଙ୍କ ପରିବାରକୁ ଦୃଦଶା ମଧ୍ୟକୁ ଠେଲି ଦେଇଛି।
ମୃତକ ଅବିନାଶଙ୍କ ପରିବାର ପୋଷଣ ପାଇଁ କେନ୍ଦ୍ରପାଡା ପୋଲିସ ସହାୟତା ପାଣ୍ଠିରୁ ୧ ଲକ୍ଷ ଓ କେନ୍ଦ୍ରାପଡା ଜିଲା ପ୍ରଶାସନ ମଙ୍ଗଳ ପାଣ୍ଠିରୁ ୧ ଲକ୍ଷ ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାଛଡା ମୃତକ ଅବିନାଶଙ୍କ ବିଧବା ପତ୍ନୀଙ୍କୁ ଗୃହରକ୍ଷୀ ଭାବରେ ଚାକିରୀ ଦେବାକୁ ଜିଲା ଅତିରିକ୍ତ ଏସ ପି ଅରୁଣ କୁମାର ଜେନା ପ୍ରତିଶୃତି ଦେଇଛନ୍ତି।
ଏହାପରେ ଅବିନାଶଙ୍କ ଶବକୁ ହଳଧରଙ୍କ କୋଠାଘରୁ ଜବତ କରି କରାଯାଇଛି। ମୃତ ଅବିନାଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ମାଡ଼ ଦାଗ ସ୍ପଷ୍ଟ ବାରି ହୋଇଛି। ଅବିନାଶଙ୍କୁ ଥାନା ଅଧିକାରୀ ଥାନା ଭିତରେ ପଚରା ଉଚରା ନକରି ତାଙ୍କ ବସା ଘରକୁ ନେଇ ପଚରା ଉଚରା କରୁଥିବା ସନ୍ଦେହ ହୋଇଛି। ତାଙ୍କ ବସା ଘରେ ଅବିନାଶଙ୍କୁ ଥାନା ଅଧିକାରୀ ନିସ୍ତୁକ ପିଟିଥିଲେ।
ଭାରତୀୟ ପିଙ୍ଗଳ କୋର୍ଡର ୩୨୩ , ୩୪୨, ୩୦୨ ଓ ୩୪ ଦଫାରେ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଘଟଣାରେ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକରୀ କାର୍ତ୍ତିକ ମଲିକଙ୍କୁ ତଦନ୍ତ ଦାୟିତ୍ଵ ଦେଇଛନ୍ତି ଜିଲ୍ଲା ଏସପି।

















