ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି।
ଆଜି ଜାତୀୟ କ୍ରୀଡ଼ା ଦିବସ। ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି।
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଦୁଇ ଅନ୍ତର୍ଜାତୀୟ ହକି ଖେଳାଳି ସୁନୀତା ଲାକ୍ରା ଓ ଅମିତ ରୋହିଦାସ ଯୁଗ୍ମଭାବେ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପାଇଛନ୍ତି।
ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗଠାରେ ଚାଲିଥିବା ଏସିଆନ ଗେମ୍ସରେ ଏବେ ସୁନୀତା ଓ ଅମିତ ଭାରତୀୟ ଦଳର ସଦସ୍ୟଭାବେ ଖେଳୁଛନ୍ତି। ତେଣୁ ସେ କ୍ରୀଡ଼ା ପୁରସ୍କାର ପ୍ରଦାନ ବେଳେ ଅନୁପସ୍ଥିତ ଥିଲେ।
ଶ୍ରେଷ୍ଠ କୋଚ୍ ପୁରସ୍କାର ପାଇଛନ୍ତି ପୂର୍ଣ୍ଣିମା ହେମ୍ବ୍ରମଙ୍କ କୋଚ୍ ସଞ୍ଜୟ ଗଡ଼ନାୟକ। କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ଅନୁଷ୍ଠାନଭାବେ ଏଥର ଓଡ଼ିଶା ଭାରୋତ୍ତୋଳନ ଆସୋସିଏଶନର ସମ୍ପାଦକ ନାରାୟଣ ସାହୁ ଓ ଓଡ଼ିଶା ଖଣିନିଗମ (ଓଏମସି)କୁ ପୁରସ୍କୃତ କରାଯାଇଛି। ଆକାଶବାଣୀର ସୁଜିତ ଦାସଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ବିଜେତାଙ୍କୁ ସ୍ଵତନ୍ତ୍ର ଟ୍ରଫି ସହ ମାନପତ୍ର ଓ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଅବସରରେ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ମମତା ଦଳେଇ, ପଙ୍କଜ ମହନ୍ତ ଓ ବିଶ୍ଵଜିତ୍ ପୁହାଣଙ୍କୁ ଚଳିତ ବର୍ଷର ସାହାସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।
ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରିୟବ୍ରତ ପଣ୍ଡା, ଏନ ସନ୍ତୋଷ କୁମାର ଓ କ୍ଷୀରୋଦ ସାହୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଶ୍ରେଷ୍ଠ କ୍ରୀଡ଼ାବିତ୍ ପାଇଁ ୨ ଲକ୍ଷ, ଶ୍ରେଷ୍ଠ କୋଚ୍ ୧ ଲକ୍ଷ, ଶ୍ରେଷ୍ଠ ଅନୁଷ୍ଠାନ ଓ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
୨୦୧୭ ବର୍ଷ ପାଇଁ ଲାଇଫ ଟାଇମ୍ ଆଚିଭମେଣ୍ଟ ପୁରସ୍କାର କାହାକୁ ପ୍ରଦାନ କରାଯାଇନାହିଁ।








ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି।





