ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏଥିପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ବିଜେଡି ଓ ବିଜେପିକୁ ଝଟକା ଦେବା ପାଇଁ ଏବେଠୁ ‘ଆଶା’ ବାନ୍ଧି ବସିଛି କଂଗ୍ରେସ।
ଓଡ଼ିଶାର କଂଗ୍ରେସ ପ୍ରଭାରୀ ଜିତେନ୍ଦର ସିଂହ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦିଆଯିବ। ଏହାର ଅର୍ଥ ହେଉଛି ଲୋକେ ଜାଣନ୍ତୁ ଯେ କଂଗ୍ରେସ ଆଉ ଏକ ଦୋଦୋ ପାଞ୍ଚ ଦଳ ହୋଇ ରହିନାହିଁ।
ଆସନ୍ତା ୨୦୧୯ ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଦଳର ସଙ୍ଗଠନକୁ ତତ୍ପର କରିବା ଓ ପ୍ରାର୍ଥୀ ଘୋଷଣା କରିବାରେ କଂଗ୍ରେସ ହିଁ ଅନ୍ୟ ଦୁଇ ଦଳ ଅପେକ୍ଷା ଆଗରେ ଥିବା ଦେଖା ଯାଉଛି।
ନିର୍ବାଚନ ପାଇଁ ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକାରର କମିଟି ଗଠନ କରିବା ଓ ଏକ ତୃତୀୟାଂଶ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ନିଶ୍ଚିତ ଭାବରେ ଏକ ସାହସିକ କାର୍ଯ୍ୟ। ପ୍ରାର୍ଥୀ ତାଲିକା ଘୋଷଣା କଥା ଶାସକ ବିଜେଡ଼ି ସମେତ ଅନ୍ୟ ଦଳମାନେ ଚିନ୍ତା ବି କରିନଥିବେ।
ନିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବା ଆପଣାଛାଏଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ।ବର୍ଷେ ତଳେ ଦଳ ଯେଉଁ ସ୍ଥିତିରେ ଥିଲା ତାହାର ଢ଼େର ପରିବର୍ତ୍ତନ ଘଟିଛି। ପରିବର୍ତ୍ତନ ଏତେ ମାତ୍ରାରେ ହୋଇଛି ଯେ ୨୦୧୯ରେ ସରକାର ଗଠନ କରିବାର ସାହସ ମଧ୍ୟ ଦଳ କରିପାରୁଛି।
ବେଶୀ ଆଗକୁ ଯିବା ଦରକାର ନାହିଁ। ଫେବୃଆରୀ ମାସରେ ବିଜେପୁର ଆସନ ପାଇଁ ଯେଉଁ ଉପନିର୍ବାଚନ ହେଲା ସେଥିରେ ବିଜେଡ଼ି ପ୍ରାର୍ଥୀ ତଥା ସ୍ଵର୍ଗତ ସୁବଳ ସାହୁଙ୍କ ବିଧବା ପତ୍ନୀ ୪୦ ହଜାର ଅଧିକ ଭୋଟ ପାଇ ଏହି ଆସନରୁ ଜିତିଥିଲେ। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଦେବାରେ ବିଳମ୍ବ କରିବା ଯୋଗୁଁ ପ୍ରଣୟ ସାହୁ ଜିତିବା ତ ଦୂରର କଥା ଅମାନ ତ ବି ହରାଇଥିଲେ। ସେହି ଦୃଷ୍ଟିରୁ ୨୦୧୯ ପାଇଁ ପ୍ରାର୍ଥୀ ଠିକ୍ କରିବା କାମଟି ଆଗରୁ ହିଁ ସାରିଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ତାଲିକା ଯେ କୌଣସି ସମୟରେ ବହାରିପାରେ।
ଏହା ସତ କଥା ଯେ ୨୦୦୦ ମସିହା ପରଠାରୁ ଯେବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ କଂଗ୍ରେସ ତାର ସତ୍ତା ହଜେଇସାରିଛି। ବିଜେପି ଓ ବିଜେଡ଼ି ମିଶି ସରକାର ଗଠନ କରିବା ପରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୋହଲିଯାଇଥିଲା। ୨୦୧୭ ପଂଚାୟତ ନିର୍ବାଚନ ଥିଲା କଂଗ୍ରେସ ପାଇଁ ସବୁଠାରୁ ଖରାପ ସମୟ କାରଣ ପଂଚାୟତ ଭୋଟରେ ମାତ୍ର ୧୮ ପ୍ରତିଶତ ଭୋଟ ପାଇ ଦଳ ତୃତୀୟ ସ୍ଥାନକୁ ଖସିଗଲା ରହିଲା, ଅଥଚ ବିଜେପି ୩୨ ପ୍ରତିଶତ ଭୋଟ ପାଇଁ ଦୁଇ ନମ୍ୱର ସ୍ଥାନକୁ ଉଠିଗଲା। ନିକଟ ଅତୀତରେ ବେଶ୍ କିଛି ହେଭିୱେଟ ନେତା ଯଥା ଚନ୍ଦ୍ର ଶେଖର ସାହୁ ପ୍ରମୁଖ ମଧ୍ୟ ଦଳ ଛାଡି ଶାସକ ଦଳର ନେତା ହେବା ପରେ କଂଗ୍ରେସର ସ୍ଥିତି ପୂରାପୂରି ବିଗିଡ଼ି ଯାଇଛି।
ତେବେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଯେଉଁ ନୂଆ ଉତ୍ସାହ ପ୍ରଦର୍ଶିତ ହେଉଛି ତାର କାରଣ ରାଜ୍ୟସଭା ଉପସଭାପତି ନିର୍ବାଚନ ତଥା ହରିବଂଶଙ୍କ ସପକ୍ଷରେ ବିଜେଡ଼ିର ସମର୍ଥନ। ଏହି ଗୋଟିଏ ଘଟଣାରେ କଂଗ୍ରେସ ଦେଖୁଚି ତା ପାଇଁ ‘ଅଛେ ଦିନ’ ଆସୁଛି।
ଏବେ ଏବେ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ସତ୍ୟ ପ୍ରକାଶ ନାୟକଙ୍କ କହିବା କଥା ଯେ ଆଗରୁ ଯେମିତି ନବୀନ ପଟ୍ଟନାୟକଙ୍କ ସରକାର ବିରୁଦ୍ଧରେ ବିଜେପି ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା ଏଣିକି ତାହା ଆଉ ହେବ ନାହିଁ। ଏଣୁ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ ଓ କହିବୁ ଯେ ବିଜେପି ଓ ବିଜେଡି କୋଳାକୋଳି ହେଲେଣି। ଏଣୁ କେବଳ କଂଗ୍ରେସ ହିଁ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିପାରିବ ଓ ସେମାନଙ୍କ ପାଇଁ ଲଢ଼ିପାରିବ।
ଏହାଛଡ଼ା କଂଗ୍ରେସ ପକ୍ଷରୁ ନିକଟରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି ଯେ ଗତ ନିର୍ବାଚନରେ ଯେଉଁ ପ୍ରାର୍ଥୀ ମାନେ ଅମାନତ ହରାଇଥିଲେ ସେମାନଙ୍କୁ ଟିକେଟ ଦିଆଯିବ ନାହିଁ।ଏ କିଛି କମ ସାହସିକ ପଦକ୍ଷେପ ନୁହେଁ? ୨୦୧୪ ବିଧାନସଭା ନିର୍ବାଚନରେ ୧୪୭ ପ୍ରାର୍ଥୀଙ୍କ ଭିତରୁ ୪୦ ଜଣ ଯେତିକି ନ୍ୟୁନତମ ଭୋଟ ପାଇବା କଥା ପାଇନଥିଲେ ଓ ସେମାନଙ୍କ ଅମାନତ ଉଡିଯାଇଥିଲା।
ଇତି ମଧ୍ୟରେ ଦଳ ପକ୍ଷରୁ ୩୩ ଜିଲ୍ଲାର ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ୯୦ ପ୍ରତିଶତ ଜୋନାଲ କମିଟିର ମୁଖ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇସାରିଛି। ବୁଥ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ମଧ୍ୟ କଂଗ୍ରେସ ଆଗେଇ ଆସିଛି। ‘ମୋ ବୁଥ ମୋ ସମ୍ମାନ’ ଜରିଆରେ ଦଳ ଅତି ନିପଟ ଅଞ୍ଚଳକୁ ଯିବାକୁ ଚାହୁଁଛି।
ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସ ଖୁବ୍ ତତ୍ପର ହୋଇଉଠିଛି। ଶାସକ ବିଜେଡ଼ି ଓ ବିଜେପିର ନେତା ମାନଙ୍କୁ କଂଗ୍ରେସ ପକ୍ଷରୁ ଜୋରଦାର ଥଟ୍ଟା ମଜା ବି କରାଯାଉଛି। ଉଦାହରଣ ସ୍ୱରୂପ, ନିକଟରେ ପିସିସି ସଭାପତି ନିରଞ୍ଜନ ପଟନାୟକ ବଲିଉଡ ହିରୋ ସନି ଦେଓଲଙ୍କ ଏକ ଡାଇଲଗକୁ ଉଦ୍ଧାର କରି ବିଜେଡ଼ିକୁ କଟାକ୍ଷ କରିଥିଲେ। ନବୀନ ପଟ୍ଟନାୟକ ସରକାର ପକ୍ଷରୁ ଯେଉଁଭଳି ଘନଘନ ଯୋଜନା ଘୋଷଣା କରାଯାଇଛି ତାହାକୁ ସମାଲୋଚନା କରି ନିରଞ୍ଜନ କହିଥିଲେ,’ସିରଫ ସ୍କିମ ମିଲତି ହୈ, ଅଞ୍ଜାମ ନେହିଁ।’
ରାଜନୀତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ କିନ୍ତୁ ଏହି ତତ୍ପରତା ବିଶେଷ କାର୍ଯ୍ୟ ଦେବ ନାହିଁ। ସେମାନଙ୍କ କହିବା କଥା ଯେ ନିଜ ଘରକୁ ପୂରାପୂରି ସଜାଡ଼ି ଦେଇଥିଲେ ହେଁ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ଦେଖାଯାଉ ନାହିଁ। ଉତ୍କଳ ବିଶ୍ଵବିଦ୍ୟାଳୟର ରାଜନୀତି ବିଭାଗର ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ କହନ୍ତି,’୨୦୧୭ ଜିଲ୍ଲା ପରିଷଦ ନିର୍ବାଚନ ପରଠାରୁ ଦଳ କ୍ରମାଗତ ଭାବରେ ତାର ପ୍ରଭାବକୁ ହରାଇ ଚାଲିଛି ଓ ଗ୍ରାମାଞ୍ଚଳର ଭୋଟର ମାନଙ୍କ ଠାରୁ ଦଳ ଦୂରେଇ ଯାଇଛି। ତା’ଛଡ଼ା ଜାତୀୟ ସ୍ତରରେ ମହାମେଣ୍ଟରେ କଂଗ୍ରେସର ଯୋଗଦାନ ଦେଖା ଯାଉନାହିଁ ଯାହା ଫଳରେ ଓଡ଼ିଶାରେ ଏହା ଘୋର ପ୍ରଭାବ ପକାଇବ।’
ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀଙ୍କ କହିବା ଅନୁଯାୟୀ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ କଂଗ୍ରେସ ଯେଉଁ ସ୍ଵପ୍ନ ଦେଖୁଛି ତାହା ଅବାନ୍ତର। କଂଗ୍ରେସର ଭୋଟ ଦିନକୁ ଦିନ କମି ଚାଲିଛି। ଆଗାମୀ ନିର୍ବାଚନରେ ଯଦି କଂଗ୍ରେସ ତାର ଜିଲ୍ଲା ପରିଷଦ ନିର୍ବାଚନର ୧୮ ପ୍ରତିଶତ ଭୋଟ ବି ପାଇଯାଏ ବଡ଼ କଥା ହେବ।














