ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ୍‌ ଗେମ୍ସରେ ଦୁଇଟି ରୌପ୍ୟ ପଦକ ପାଇ ଆଜି ଭୁବନେଶ୍ୱର ଫେରିଛନ୍ତି ଦୌଡ଼ ରାଣୀ ଦୂତି ଚାନ୍ଦ।

ଭୁବନେଶ୍ୱରରେ ପହଞ୍ଚିଲେ ଦୌଡ଼ ରାଣୀ ଦୂତି ଚାନ୍ଦ। ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଦୁଇଟି ରୌପ୍ୟ ପଦକ ପାଇବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦୂତି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଦୂତିଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ପରେ ଦୂତିଙ୍କୁ ସଚିବାଳୟ ଅଭିମୁଖେ ପାଛୋଟି ଅଣାଯାଇଥିଲା।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୂତିଙ୍କୁ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସିଆନ୍ ଗେମ୍‌ସରେ ଦୁଇଟି ରୌପ୍ୟ ପଦକ ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କାର ସ୍ୱରୂପ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ।

“ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଁ ଶ୍ରଦ୍ଧା ଯୋଗୁଁ ମୁଁ ଏହି ସଫଳତା ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି”, କହିଛନ୍ତି ଦୂତି।

ମହିଳା ୧୦୦ ମିଟର ରେସ୍‌ରେ ରୌପ୍ୟ ପଦକ ପାଇବା ପରେ ଦୂତିଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ବାବଦରେ ଦେଢ଼ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ପରେ ଦୂତି ପୁଣି ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ଆଉ ଦେଢ଼ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ।

ଦୂତି ପ୍ରଥମ ରୌପ୍ୟ ଜିତିବା ପରେ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଓଡ଼ିଶା ଅଲିମ୍ପିକ୍‌ ସଂଘ ପକ୍ଷରୁ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

ଦୂତିଙ୍କ ସଫଳତା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଥିଲେ।

Comment