ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ମେଡିକାଲ କଲେଜ ଉଦଘାଟନକୁ ନେଇ ବିଜେଡି-ବିଜେପି-କଂଗ୍ରେସ ଭିତରେ ଦେଖିବାକୁ ମିଳିଛି ପତିଆରା ଲଢ଼େଇ।

ବଲାଙ୍ଗିରରେ ଉଦଘାଟିତ ହୋଇଛି ମେଡିକାଲ କଲେଜ। ନିର୍ବାଚନ ପୂର୍ବରୁ ଏହାକୁ ରାଜ୍ୟ ସରକାର ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ କରି ପଶ୍ଚିମଓଡ଼ିଶା ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଛନ୍ତି। ହେଲେ ଆଜିର ଉଦଘାଟନ ବେଳେ ବଲାଙ୍ଗିରରେ ତିନି ଦଳର ପତିଆରା ଲଢ଼େଇ ଦେଖିବାକୁ ମିଳିଛି।

ମେଡିକାଲ କଲେଜ ଉଦଘାଟନର ଶ୍ରେୟ ନେବାକୁ ବିଜେଡି, ବିଜେପି ଏବଂ କଂଗ୍ରେସ ସୁଯୋଗ ହାତଛଡ଼ା କରି ନାହାନ୍ତି।

ବଲାଙ୍ଗିର ମେଡିକାଲ କଲେଜକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା। ଏହାସହ ବଲାଙ୍ଗିର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ତିନି ପ୍ରମୁଖ ଦଳର ତିନି ନେତାଙ୍କୁ ନେଇ ବଲାଙ୍ଗିର ରାଜନୀତି ହୋଇଯାଇଥିଲା ସରଗରମ୍।

ମେଡିକାଲ କଲେଜ ଉଦଘାଟନ କରିବା ପାଇଁ ନିର୍ଦ୍ଧାରିତ ସମୟରେ ବଲାଙ୍ଗିରରେ ହେଲିକପ୍ଟରରେ ପହଞ୍ଚିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା। ତେବେ ପତିଆରା ଦେଖାଇବା ପାଇଁ ବିଜେପି ପକ୍ଷରୁ କରାଯାଇଥିଲା ବ୍ୟାପକ ପ୍ରସ୍ତୁତି। ଦଳର କର୍ମୀ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ଅପେକ୍ଷା କରି ରହିଥିଲେ। ବାଇକରେ ଦଳୀୟ ପତାକା ଲଗାଇ ନଡ୍ଡାଙ୍କୁ ସ୍ୱାଗତ କରି ରାଲିରେ ମେଡିକାଲ କଲେଜ ନିକଟକୁ ପାଛୋଟି ନେଇଥିଲେ।

ଏପଟେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବି ପତିଆରା ଦେଖାଇବାକୁ ଭୁଲି ନାହାନ୍ତି। ସମର୍ଥକଙ୍କ ଗହଣରେ ଶ୍ରୀ ମିଶ୍ର ଉଦଘାଟନୀ ଉତ୍ସବକୁ ଆସିଥିଲେ। ଏହା ପୂର୍ବରୁ ବଲାଙ୍ଗିର ସହରରେ କଂଗ୍ରେସ ମିଠା ବାଣ୍ଟି ଉତ୍ସବ ମନାଇଥିଲା। ଏହାସହ ମେଡିକାଲ କଲେଜ ଉଦଘାଟନ ପରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ ନରସିଂହ।

ବିଜେଡି ଯଦିଓ ମେଡିକାଲ କଲେଜ ଉଦଘାଟନକୁ ନେଇ ଶକ୍ତି ପ୍ରଦର୍ଶନ କରିନି, ହେଲେ ଏହା ପୂର୍ବରୁ ନିମନ୍ତ୍ରଣ ପତ୍ରରେ ଜେ ପି ନଡ୍ଡାଙ୍କ ନାଁ କାଟି ରାଜ୍ୟ ରାଜନୀତିକୁ ଗରମ୍ କରିଦେଇଥିଲା। ପରେ ବିଜେପି ପକ୍ଷରୁ ହୋ-ହଲ୍ଲା ହେବା ପରେ ଆଉ ଥରେ ନିମନ୍ତ୍ରଣପତ୍ର ଛପା ହୋଇଥିଲା।

ଉଦଘାଟନୀ ମଞ୍ଚରେ ‘ଆୟୁଷ୍ମାନ’ ଯୋଜନା କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ

ପତିଆରା ଲଢ଼େଇକୁ ନେଇ ଚର୍ଚ୍ଚ ନଥମୁଣୁ ଉଦଘାଟନୀ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଜେ ପି ନଡ୍ଡା କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା କଥା ଉଠାଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‘ଆୟୁଷ୍ମାନ’ ଯୋଜନାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କଲେ ଦିଲ୍ଲୀ ଏମ୍‌ସ, ଟାଟା ମେମୋରିଆଲ ହସ୍ପିଟାଲ ଏବଂ ଅନ୍ୟ ମେଡିକାଲରେ ଚିକିତ୍ସା ପାଇବାର ସୁଯୋଗ ପାଇବେ ଓଡ଼ିଶାବାସୀ। ଏହି ସୁଯୋଗକୁ ହାତଛଡ଼ା ନକରିବାକୁ ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିନି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଯଦି ଓଡ଼ିଶା ଆୟୁଷ୍ମାନ ଭାରତରେ ସାମିଲ ହୋଇଥାନ୍ତା ତାହାଲେ ୯ ଲକ୍ଷ ଗରିବ ଲୋକ ବାଦ୍ ପଡ଼ିଥାନ୍ତେ। ଓଡ଼ିଶାର ଦାବିକୁ ନୀତି ଆୟୋଗ ପ୍ରତ୍ୟାଖ୍ୟାନ କରିବାରୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛି।

Comment