ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। କିନ୍ତୁ ରାଜ୍ୟ ସରକାର ଏହି କଲେଜକୁ ଦେଢ଼ କୋଟି ଟଙ୍କା ଅନୁଦାନ ଘୋଷଣା କରି ନବରଙ୍ଗପୁର ବାସୀଙ୍କୁ ଠକିଥିବା ବିଜେପି ଅଭିଯୋଗ କରିଛି।
ନବରଙ୍ଗପୁରରେ ଅୟାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପର୍ଯ୍ୟବେକ୍ଷକ କହିଛନ୍ତି ଯେ ଆମେ ବହୁଦିନରୁ ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବା ପାଇଁ ଦାବି କରିଆସୁଛୁ। କିନ୍ତୁ ସରକାର ଶୁଣୁ ନାହାନ୍ତି। ଆଗାମୀ ଦିନରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ନଦେଲେ ଆନ୍ଦୋଳନ ଜୋରଦାର ହେବ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାଶ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ସି ସତ୍ୟବାଦୀ ଷଡଙ୍ଗୀ, ନିଲୁ ମିଶ୍ର, ସଂଜୀବ ନନ୍ଦ, ମୃତ୍ୟୁଞ୍ଜୟ ମହାରଣା, ମୃତ୍ୟୁଞ୍ଜୟ ଦାଶ, ଅନନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୯ ଟି ଜିଲ୍ଲାର ୧୧ଟି ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦେଢ଼ କୋଟି ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ଭିଡିଓ କନଫେରେନ୍ସ ମାଧ୍ୟମରେ ଜଣାଇଛନ୍ତି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ସାଂସଦ ବଳଭଦ୍ର ମାଝି, ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା , ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ, ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ।


















