ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବ୍ୟାପୀ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ସେବା ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦେଶର ବିଭିନ୍ନ ପୋଷ୍ଟ ଅଫିସରେ ହୋଇଥିଲା ଉଦଘାଟନୀ ଉତ୍ସବ। ନୟାଗଡ଼ ଜିଲ୍ଲାରେ ୨୦୪ଟି ଡାକ ଘର ମଧ୍ୟରୁ ପ୍ରଥମ ପ୍ରର୍ଯ୍ୟାୟରେ ୫ଟି ସ୍ଥାନରେ ବ୍ୟାଙ୍କିଂ ସେବାର ଆରମ୍ଭ ହୋଇଛି। ଅବଶିଷ୍ଟ ୧୯୯ ଡାକଘରେ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଏହି ସେବା ଯୋଗାଇ ଦିଅଯିବ।

ନୟାଗଡ଼ ମୁଖ୍ୟ ପୋଷ୍ଟ ଅଫିସ, ଇଟାମାଟି, ଗଦାଧରପ୍ରସାଦ, ହରେକୃଷ୍ଣପୁର ଏବଂ ଗୁଣ୍ଠୁଣୀ ଶାଖା ପୋଷ୍ଟ ଅଫିସରେ ବ୍ୟାଙ୍କିଙ୍ଗ୍ ସେବା ଶୁଭାରମ୍ଭ ହୋଇଛି। ନୟାଗଡ଼ ମୁଖ୍ୟ ଡାକ ଘରେ ବ୍ୟାଙ୍କିଂ ସେବା ଶୁଭାରମ୍ଭ ଉତ୍ସବରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବିଜେପିର ପୂର୍ବତନ ମନ୍ତ୍ରୀ ତଥା ଭେଲ୍ର ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର  ସୁରମା ପାଢ଼ୀ ସମ୍ମାନୀତ ଅତିଥି, ଓଡ଼ିଶା ସର୍କଲ ସିପିଏମଜି ଦେବୀପ୍ରସାଦ ଦାଶ, ପୁରୀ ସର୍କଲ ଏଏସ୍‌ପି ପ୍ରଦତ୍ତ କୁମାର ଦାଶଙ୍କ ସହ ନୟାଗଡ଼ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।

ବ୍ୟାଙ୍କ ସେବାରୁ ବଞ୍ଚିତ ଦେଶର ସମସ୍ତ ନାଗରିକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ପୋଷ୍ଟାଲ ବ୍ୟାଙ୍କର ଗ୍ରାହକମାନେ  ବିନା କୌଣସି ଦେୟରେ ଆକାଉଣ୍ଟ ଖୋଲି ପାରିବେ। ଏହାସହ ଏଟିଏମ କାର୍ଡ ବ୍ୟବହାର, ଏସ୍ଏମ୍ଏସ୍ ସେବା, ମୋବାଇଲ ବ୍ୟାଙ୍କିଙ୍ଗ୍ ଏବଂ ଟଙ୍କା ନେଣଦେଣ କରିପାରିବେ। ଏହାଛଡ଼ା  ସରକାରୀ ଯୋଜନାର ଅର୍ଥପୈଠ, କୃଷି ଋଣ, ଶିକ୍ଷା ଋଣ ଆଦି ସହଜରେ ମିଳିପାରିବ ବୋଲି ମୋଦି କହିଥିଲେ। ଦେଶର ୬୨୫ଟି ଶଖାରେ ଆଜି ଏକ ସମୟରେ ପୋଷ୍ଟାଟାଲ ବ୍ୟାଙ୍କ ସେବା ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ୧ଲକ୍ଷ ୩୦ ହଜାର ପୋଷ୍ଟ ଅଫିସରେ ଏହି ସେବା ଉପଲବ୍ଧ କରିବାକୁ ଡାକ ବିଭାଗ ସ୍ଥିର କରିଛି।

Comment